
୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ନେଇ ରାଜାଙ୍କ ନାଁରେ ଅଭିଯୋଗ , ଚାଲିଛି ରେଡ୍
କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଠକେଇ ଅଭିଯୋଗ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ଲିଙ୍କ ଅଭିଯୋଗ । ଏଥିପାଇଁ ୧୦ଟି ସ୍ଥାନରେ ମିଳିତ ଚଢ଼ାଉ କରିଛି ଇଓଡବ୍ଲ୍ୟୁ ଓ ଏସଟିଏଫର ଟିମ୍ । ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ନେଇ ରାଜାଙ୍କ ନାଁରେ ଅଭିଯୋଗ ଆସିବା ପରେ ଏହି ଚଢାଉ କରାଯାଇଛି । ରାଜ୍ୟର ସମସ୍ତ ମାଇନ୍ସ କରିଡର୍ର ଚେକ୍ ପଏଣ୍ଟରେ ଏଥିପାଇଁ ରେଡ୍ କରାଯାଉଛି । ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ଗତକାଲି (ସୋମବାର) ଯୁବ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମାରାଥନ୍ ଜେରା କରିଛି। ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇଥିବା ବେଳେ ଆସନ୍ତା ୫ ଓ ୬ ତାରିଖରେ ଅନ୍ୟ ତିନିଜଣ ସହଯୋଗୀ ଇଓଡବ୍ଲ୍ୟୁରେ ହାଜର ହେବେ ବୋଲି ଜଣାପଡ଼ିଛି।
ତେବେ ଜେରା ବେଳେ, ଅର୍ଥ ହେରଫେରର ପରିସୀମା ଅଧିକ ଏବଂ ଏହା ପଛରେ ବହୁ ବଡ଼ବଡ଼ିଆଙ୍କ ଲିଙ୍କ୍ ସାମନାକୁ ଆସିଛି। ମାମଲାର ଗମ୍ଭୀରତା ଦୃଷ୍ଟିରୁ ରାଜ୍ୟ କ୍ରାଇମବ୍ରାଞ୍ଚ ସମେତ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।ମିଳିଥିବା ସୂଚନା ମୁତାବକ, ଟଙ୍କା ହେରଫେର ମାମଲାରେ ଗତ ଫେବୃଆରୀ ୮ରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ ଅପରେଟିଭ ଲିମିଟେଡର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ସମୟରେ ଏହି ଠକେଇ ର଼୍ୟାକେଟରେ ଅନେକ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।
ଏହି ଲିଙ୍କ୍ ରେ ସୋମବାର କେନ୍ଦୁଝରର ବିଜେଡି ନେତା ସୌମ୍ୟ ଓରଫ ରାଜା ଚକ୍ରଙ୍କୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ଡାକି ଇଓଡବ୍ଲ୍ୟୁ ୧୨ ଘଣ୍ଟାର ମାରାଥନ ଜେରା କରିଥିଲା। ରାଜାଙ୍କୁ ଜେରା ପରେ ଇଓଡବ୍ଲ୍ୟୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ପରେ ୧୦ଟି ଟିମ୍ ଗଠନ କରାଯାଇଥିବା ସୂଚନା ମିଳିଛି। ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ରେ ସାମିଲ ହୋଇଥିବାରୁ ଆର୍ଥିକ କାରବାର ମାମଲାରେ ଜଡ଼ିତ ବ୍ୟକ୍ତିମାନଙ୍କ ମଧ୍ୟରେ ଛନକା ପଶିଛି। ଅନ୍ୟପକ୍ଷରେ କେନ୍ଦୁଝରରେ ଏସଟିଏଫର ଏକାଧିକ ଟିମ୍ ଡେରା ପକାଇ ରାଜା ଚକ୍ର ସଂପୃକ୍ତ ଥିବା କ୍ରସର୍ ୟୁନିଟ୍ ଏବଂ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ କରିଥିବା ସୂଚନା ମିଳିଛି।