ବିଜୁ ଜନତା ଦଳକୁ ୨୫ ବର୍ଷ: ତାଳବଣିଆରେ ବିଜେଡିର ଜନ୍ମଉତ୍ସବ

ପୁରୀ: ବିଜୁ ଜନତା ଦଳକୁ ୨୫ ବର୍ଷ ପୂରିଛି । ୨୬ ବର୍ଷରେ ପାଦ ଦେଇଛି ବିଜେଡି । ରୌପ୍ୟ ଜୟନ୍ତୀ ପାଳନ କରୁଛି ଦଳ । ଶ୍ରୀକ୍ଷେତ୍ର ପୁରୀରୁ ଆଜି ଶଙ୍ଖନାଦ ଦେବ ଶଙ୍ଖ ଦଳ  । ୨୦୨୪ ପାଇଁ ବି ନୂଆ ମନ୍ତ୍ର ଦେବେ ଦଳ ମୁଖିଆ । ତାଳବଣିଆରେ ଦଳର ଜନ୍ମ ଉତ୍ସବ ପାଳନ କରୁଛି ବିଜେଡି । ଦଳ ସଭାପତି ନବୀନ ପଟ୍ଟନାୟକ ଏଠାକାର ମଞ୍ଚରୁ କର୍ମୀ ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ ।

ଷଷ୍ଠ ପାଳିରେ ବି ଦଳ ରାଜ୍ୟ ଶାସନକୁ ଆସିବାକୁ ପ୍ରୟାସ କରୁଛି । ତେଣୁ ସାଂଗଠନିକ କାର୍ଯ୍ୟଧାରାକୁ ଆହୁରି ମଜବୁତ୍ କରିବାକୁ ଦଳ ସୁପ୍ରିମୋ କଣ କଣ କହିବେ ତାହା ଉପରେ ନଜର ରହିଛି । ସାଧାରଣ ନିର୍ବାଚନ ପାଇଁ ଗାଁ ଗାଁ ଯାଇ ଦଳୀୟ କର୍ମୀ ଲୋକଙ୍କୁ ନବୀନଙ୍କ କଥାକୁ ରଖିବେ । ଆଜିର କାର୍ଯ୍ୟକ୍ରମ ପାଇଁ ସବୁ ପ୍ରସ୍ତୁତି ସରିଛି । ତେଣୁ ନବୀନ ଦଳୀୟ କର୍ମୀ, ନେତା, ମନ୍ତ୍ରୀ ଓ ସମର୍ଥକଙ୍କୁ କେଉଁ ସଙ୍କଳ୍ପ ଓ ସମର୍ପଣର ବାର୍ତ୍ତା ଦେବେ, ତାକୁ ହି ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ୱରରୁ ତାଳବଣିଆ ପର୍ଯ୍ୟନ୍ତ ରାସ୍ତାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ହେଲିକପ୍ଟର ଯୋଗେ ତାଳବଣିଆ ପଡିଆରେ ପହଞ୍ଚି ସମାରୋହରେ ସାମିଲ ହେବେ । ଏଥିପାଇଁ ବ୍ଲକ, ପଞ୍ଚାୟତରୁ ଆରମ୍ଭ କରି ଛାତ୍ର, ଯୁବ, ମହିଳା ବିଜୁ ଜନତା ଦଳର କର୍ମକର୍ତ୍ତା ସେଠାକୁ ଛୁଟିଛନ୍ତି ।

ପୁରୀରେ ଗତକାଲି ଠାରୁ ଡେରା ପକାଇଛନ୍ତି ସାଂଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତୃବୃନ୍ଦ । ଜନ୍ମ ଉତ୍ସବ ପ୍ରସ୍ତୁତି ସମୀକ୍ଷା କରିବା ସହିତ ସମାରୋହକୁ ସଫଳ କରିବା ଆଶା ବାନ୍ଧିଛନ୍ତି ।

Related Articles

Back to top button