ମାଆ ମାନେ ଚାହିଁଲେ ୧୦୦ ବର୍ଷ ସେବା କରିବ ବିଜେଡି: ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିଜେଡିର ୨୬ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି। ପୁରୀଠାରେ ଆୟୋଜିତ ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ। ଓଡ଼ିଶାରେ ମାଆମାନଙ୍କୁ ମିଶନଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି। ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଯାଏ ରହିବ। ମା’ମାନେ ଆସନ୍ତୁ ଓ ଓଡ଼ିଶାର ଦାୟିତ୍ବ ନିଅନ୍ତୁ।
୧୨ ବର୍ଷ ପରେ ଓଡ଼ିଶା ଗଠନର ୧୦୦ ବର୍ଷ ପାଳନ କରିବ ରାଜ୍ୟ । ତେଣୁ ଓଡ଼ିଶାର ଉନ୍ନତି କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ବିଜୁ ଜନତା ଦଳରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । କ୍ରୀଡ଼ାବିତ, ଚାକିରିଆ, କଳାକାର, ଚାଷୀ କିମ୍ୱା ଯେକୌଣସି କ୍ଷେତ୍ରର ବ୍ୟକ୍ତି ବିଶେଷ ସେମାନେ ବିଜେଡିରେ ସାମିଲ ହୁଅନ୍ତୁ । ବିଶେଷ କରି ନୂଆ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ଯୁବପିଢିଙ୍କୁ ଆହ୍ୱାନ ଦେଇ ନବୀନ ଦଳକୁ ଆମନ୍ତ୍ରଣ କରିଛନ୍ତି ଓ କହିଛନ୍ତି ମାଆ ମାନେ ଆଗକୁ ଆସି ଦାୟିତ୍ୱ ନେଲେ, ସେମାନଙ୍କ ଆଶୀର୍ବାଦ କଲେ ବିଜେଡି ୧୦୦ ବର୍ଷ ରାଜ୍ୟର ସେବା କରିବ ।
ସେ ଆହୁରି କହିଛନ୍ତି, ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରନ୍ତୁ। ଓଡ଼ିଶା ଅତୀତରେ କେଉଁଠି ଥିଲା ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି, ତାହା ସାରା ବିଶ୍ବ ଜାଣିଛି। ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦୋଳନ। ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମହିଳା ସଶକ୍ତିକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଆସୁଛି। ଓଡ଼ିଶାବାସୀ ଦୀର୍ଘ ବର୍ଷ ହେବ ଆମକୁ ସେବା କରିବାକୁ ସୁଯାେଗ ଦେଇଛନ୍ତି। ଏ ସୁଯାେଗ ଦେଇଥିବାରୁ ଆମେ ରାଜ୍ୟବାସୀଙ୍କ ନିକଟରେ ଋଣୀ। ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ଆମ ପାଇଁ ବଡ଼ ପୁଞ୍ଜି। ଯେଉଁମାନେ ଓଡ଼ିଶାର ବିକାଶ ଚାହାଁନ୍ତି, ସେମାନେ ବିଜେଡିରେ ମିଶନ୍ତୁ। ତେଣିକି ସେମାନେ ଯେଉଁ ବୃତ୍ତିରେ ଥାଆନ୍ତୁ। ଜାତୀୟଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ହେଲେ ଓଡ଼ିଶା ନୁହେଁ ବୋଲି ବି ନବୀନ ପଟ୍ଟନାୟକ କହିଛନ୍ତି।