
୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି
ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣା। ଆସନ୍ତା ୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । ନ୍ୟାୟ ପାଇଁ ବ୍ରହ୍ମପୁର, ସମ୍ବଲପୁର ଓ କଟକରେ ବିକ୍ଷୋଭ କରିବ ଦଳ । ଏଥିପାଇଁ ଜିଲ୍ଲା ସ୍ତରର ମୁଖ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର ଘଟଣା ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରିଛି । ବିଜେଡି ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଶାନ୍ତି ପୂର୍ଣ୍ଣ ଭାବରେ ପ୍ରତିବାଦ କରିଆସୁଛି । ବାଲେଶ୍ଵର ବନ୍ଦ ମଧ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇଥିଲା। ଏହା ପରେ ଲୋକସେବା ଭବନ ଘେରାଉ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା। ଆଜି ମଧ୍ୟ ଦଳ ଶୃଙ୍ଖଳିତ ଢଙ୍ଗରେ ନିରବ ପ୍ରତିବାଦ କରିଛି । ଏବେ କଲେଜ କ୍ୟାମ୍ପସରେ ସୁରକ୍ଷିତ ନୁହନ୍ତି ଛାତ୍ରୀ ।
ସମସ୍ତ କଲେଜ କର୍ତ୍ତୃପକ୍ଷ, ପୋଲିସ, ପ୍ରଶାସନ ଓ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରି ବିଚାର ବିଭାଗୀୟ ତଦନ୍ତ ଦ୍ୱାରା ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ଦଳ । ଅନ୍ୟପଟେ ଏହା ପଛରେ ବଡ଼ ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ସରକାର ପର୍ଦ୍ଦାଫାସ କରିବା ପାଇଁ ଚାହୁଁ ନାହାନ୍ତି । ପ୍ରକୃତ ତଦନ୍ତ ହେଲେ ଯେଉଁମାନେ ଶବକୁ କାନ୍ଧ ଦେଉଛନ୍ତି, ସେମାନେ ବନ୍ଧା ହୋଇଯାଆନ୍ତେ । କ୍ରାଇମବ୍ରାଞ୍ଚ ତଦନ୍ତ ନାମରେ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । ତେଣୁ କ୍ରାଇମବ୍ରାଞ୍ଚ ନୁହେଁ ବିଚାର ବିଭାଗୀୟ ତଦନ୍ତ ହେବାର ଆବଶ୍ୟକ ରହିଛି ।
ହାଇକୋର୍ଟର ଜଣେ ଜଣେ ସିଟିଂ ଜଜଙ୍କ ଜରିଆରେ ତଦନ୍ତ ହେଉ । ସିସିଟିଭିରେ ଜଣା ପଡୁଛି, ଜଣେ ଭିଡିଓ ରେକର୍ଡ କରୁଛି । ଆଉ ଜଣେ ବାଟ କଢେଇ ନେଉଛି । ଏ ସବୁ ପଛରେ ଏବିଭିପିର ଛାତ୍ର ସଂଗଠନ ହାତ ଥିବା ସନ୍ଦେହ କରାଯାଉଛି । ଏମ୍ସରେ ତାଙ୍କ ବାପାଙ୍କୁ ସାନ୍ତ୍ବନା ଦେବା ବେଳେ ଏବିଭିପି ଗୁଣ୍ଡାବାହିନୀ ତାଙ୍କୁ ଆକ୍ରମଣ କଲେ ବୋଲି ଅଭିଯୋଗ କରିଛନ୍ତି ଗୌତମ । ଆଗାମୀ ଛାତ୍ର ସଂସଦ ନିର୍ବାଚନ ଲାଗି ଉଭୟ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଏହି କାରଣରୁ ଝିଅଟି ବଳି ପଡ଼ି ଥିବା ସନ୍ଦେହ ହେଉଛି। ଛାତ୍ରୀ ଜଣଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି ଗୌତମ ।