
ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
ଭୁବନେଶ୍ଵର ମହାନଗର ନିଗମ କାର୍ଯ୍ୟାଳୟରେ ପଶି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଘୋଷାଡ଼ି ନେଇ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ କମିଶନରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା କର୍ପୋରେଟର ଜୀବନ ରାଉତ ସମେତ ସମର୍ଥକ ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନକୁ ଗିରଫ କରିଛି ପୁଲିସ। ତେବେ ଏହି ଘଟଣାରେ ଅନ୍ୟ କିଛି ଲୋକ ସମ୍ପୃକ୍ତ ଥିବାରୁ ସେମାନଙ୍କ ଗିରଫ ଦାବି କରିଛନ୍ତି ବିଜେଡି କର୍ପୋରେଟର।
ସୋମବାର ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବିଜେପି କର୍ପୋରେଟର ଜୀବନ ଓ କିଛି ସମର୍ଥକ ପହଞ୍ଚି ଅତିରିକ୍ତ କମିଶନର ରତ୍ନାକରଙ୍କୁ ମାଡ଼ ମାରିଥିଲେ। ରତ୍ନାକରଙ୍କୁ ବାହାରକୁ ଘୋଷାଡ଼ି ଆଣି ବିଧା ଗୋଇଠା ମାରିଥିଲେ। ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ କାହିଁକି ଦୁର୍ବ୍ୟବହାର କରିଛ ବୋଲି କହି ୬/୭ ଜଣ ଯୁବକ ରତ୍ନାକରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।ଏହି ଘଟଣା ପ୍ରତିବାଦରେ ବିଜେଡି କର୍ପୋରେଟରମାନେ କାର୍ଯ୍ୟାଳୟ ସମ୍ମୁଖ ଜନପଥ ରାସ୍ତାରେ ଧାରଣା ଦେଇ ଅବରୋଧ କରିଥିଲେ। ଫଳରେ ଶତାଧିକ ଗାଡ଼ିମୋଟର ରାସ୍ତାରେ ଅଟକି ରହିଥିଲା। ରାସ୍ତା ଜାମ ହେବାରୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିଜେଡି କର୍ପୋରେଟର ଏବଂ ବିଏମସି କର୍ମଚାରୀମାନେ ଧାରଣା ଦେଇ ଅଭିଯୁକ୍ତମାନଙ୍କ ଗିରଫ ଦାବି କରିଥିଲେ। ପୁଲିସ ତ୍ଵରିତ ପଦକ୍ଷେପ ନେଇ ଅଭିଯୁକ୍ତ କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନକୁ ଗିରଫ କରିଥିଲା। ତେବେ ଅନ୍ୟ ଅଭିଯୁକ୍ତମାନଙ୍କ ଗିରଫ ଦାବିରେ ବିଜେଡି କର୍ପୋରେଟରମାନେ ଜିଦରେ ଅଡିବସିଛନ୍ତି।