କାର୍ଯ୍ୟରେ ଇତିହାସର ଅନ୍ୟାୟକୁ ସୁଧାରୁଛି ବିଜେପି ସରକାର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଦେଶ ପାଳୁଛି ବିଭାଜନ ବିଭୀଷିକା ସ୍ମୃତି ଦିବସ । ଆଜି ଏହି କଳା ଦିନରେ ଖଣ୍ଡ-ବିଖଣ୍ଡିତ ହୋଇଯାଇଥିଲା ଆମ ମାତୃଭୂମି ଭାରତ । ବିଜେପି ସରକାର କେବଳ ସ୍ମୃତିଚାରଣରେ ସୀମିତ ନୁହେଁ, କାର୍ଯ୍ୟରେ ମଧ୍ୟ ଇତିହାସର ଅନ୍ୟାୟକୁ ସୁଧାରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ ଏକ୍ସରେ ଉଲ୍ଲେଖ କରିଛନ୍ତି, ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମକୁ ଶିଖାଏ କି ଦେଶମାତୃକା ପାଇଁ ଜାତୀୟ ଏକତା ଓ ଅଭିମାନକୁ ସର୍ବପ୍ରଥମେ ରଖିବା ଆବଶ୍ୟକ । ଏହା ଆମ ପାଇଁ କେବଳ ଏକ ସାମାନ୍ୟ ଦିବସ ନୁହେଁ, ଏହା ଆମ ଇତିହାସର ସେହି କଳା ଅଧ୍ୟାୟକୁ ମନେପକାଇବାର ଅବସର ଯେଉଁଠାରେ ଇଂରେଜ ଓ କିଛି ନ୍ୟସ୍ତ ସ୍ୱାର୍ଥ ଭାରତୀୟ ନିଜର ରାଜନୈତିକ ଆକାଂକ୍ଷା ପାଇଁ ଆମ ଭାରତମାତାଙ୍କୁ ଖଣ୍ଡ-ଖଣ୍ଡ କରିଥିଲେ । ୧୯୪୭ର ବିଭାଜନରେ ଲକ୍ଷ ଲକ୍ଷ ଭାଇ-ଭଉଣୀ ବାସହରା ହେଲେ, ଅସଂଖ୍ୟ ପରିବାର ବିଚ୍ଛିନ୍ନ ହେଲା, ହଜାର ହଜାର ନିର୍ଦ୍ଦୋଷ ଲୋକଙ୍କୁ କେବଳ ଧର୍ମର ଆଧାରରେ ହତ୍ୟା କରାଯାଇଥିଲା। ସେମାନଙ୍କର ସାହସ, ବଳିଦାନ ଓ ଦୃଢ଼ ସଙ୍କଳ୍ପରୁ ଆଜିର ଭାରତ ଗଢ଼ିଉଠିଛି । ଆଜି ବିଭାଜନ ବିଭୀଷିକାର ସ୍ମୃତି ଦିବସ ଅବସରରେ ସେମାନଙ୍କର ସେହି ସଂଘର୍ଷ ଓ ବଳିଦାନକୁ ସ୍ମୃତିଚାରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି l

ମୁଖ୍ୟମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି, ଆଜି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ବିଜେପି ସରକାର କେବଳ ସ୍ମୃତିଚାରଣରେ ସୀମିତ ନୁହେଁ, କାର୍ଯ୍ୟରେ ମଧ୍ୟ ଇତିହାସର ଅନ୍ୟାୟକୁ ସୁଧାରୁଛି । କଶ୍ମୀରରୁ ଧାରା ୩୭୦ ହଟାଇ, “ଏକ ଦେଶ – ଏକ ବିଧାନ – ଏକ ନିଶାନ”ର ସ୍ୱପ୍ନକୁ ସାର୍ଥକ କରାଯାଇଛି । ସୀମା ହେଉ କି ବିଶ୍ଵପଟଳ ହେଉ ଆଜି ଭାରତ ନିଜର ଅଖଣ୍ଡତା ଓ ସାର୍ବଭୌମତା ସହ ସାଲିସ କରୁନାହିଁ, ଆକ୍ରମଣକାରୀଙ୍କୁ ଦୃଢ଼ ଜବାବ ଦେଉଛି । ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଆମେ ଯେତେବେଳେ ପୂର୍ବଜମାନଙ୍କ ତ୍ୟାଗକୁ ସ୍ମରଣ କରୁଛୁ, ସେତେବେଳେ ଆଜିର ନୂଆ ଭାରତ ସେମାନଙ୍କ ସାହସ ଓ ସଂକଳ୍ପକୁ ପ୍ରଣାମ ଜଣାଉଛି ।

Related Articles

Back to top button