ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ୫ ଜଣଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛି ବିଜେପି

ଭୁବନେଶ୍ୱର ମହାନଗର ନିଗମ (BMC) ଅଫିସରେ ହିଂସାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେପି। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ୫ ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦଳ ନିଲମ୍ବିତ କରିଛି। ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ନିଲମ୍ବନ କରିଛନ୍ତି। ସୋନେ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର,ଦେବାଶିଷ ପ୍ରଧାନ,ସଚିକାନ୍ତ ସ୍ବାଇଁ, ଏବଂ ସଂଜୀବ ମିଶ୍ର।

BMCର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର ନିଜ ଅଫିସରେ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସାହୁ ଗ୍ରୀଭାନ୍ସ ରିଡ୍ରେସାଲ ବୈଠକରେ ବ୍ୟସ୍ତ ଥିଲେ। ଏହି ସମୟରେ ହଠାତ୍ ୫ରୁ ୬ଜଣ ଅଜଣା ଯୁବକ ସାହୁଙ୍କ ଚାମ୍ବରକୁ ଅନଧିକୃତ ଭାବେ ପ୍ରବେଶ କରି ବିନା କାରଣରେ ତାଙ୍କୁ ଆକ୍ରମଣ କରିଥିଲେ। ସାର୍ଟ କଲର ଧରି ଘୋଷାଡି ଘୋଷାଡି ନେବା ସହ ଗୋଇଠା ମାଡ ମାରି ଗାଳି ଗୁଲଜ କରିଥିଲେ । ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ତେବେ କାହିଁକି ଉକ୍ତ ଯୁବକ ମାନେ ଏପରି କାଣ୍ଡ ଘଟାଇଲେ ତାହାର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖି ରତ୍ନାକର ସାହୁ କହିଛନ୍ତି, “ଆକ୍ରମଣକାରୀମାନେ ମୋ ପାଇଁ ଅଜଣା। ମୁଁ ଏହି ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବି ଏବଂ ଶୀଘ୍ର ଏକ ଏଫଆଇଆର ଦାଖଲ କରାଯିବ।” ସେପଟେ ଏହି ଘଟଣାକୁ ପ୍ରତିବାଦ କରି ବିଏମସି କର୍ମଚାରୀମାନେ ଅଫିସ ପରିସରରେ ଧାରଣା ଦେଇଥିଲେ ଏବଂ ଦିନସାରା କାମ ବନ୍ଦ ରଖିଥିଲେ। ଅନ୍ୟପଟେ, ଆଜି କଳାବ୍ୟାଜ୍ ପିନ୍ଧି ବିଏମସି କର୍ମଚାରୀ ପ୍ରତିବାଦ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କର୍ମଚାରୀମାନେ ପ୍ରତିବାଦ କରିଛନ୍ତି । ଅଫିସକୁ ଆସିଥିଲେ ବି କାର୍ଯ୍ୟରେ ସାମିଲ ହୋଇନାହାନ୍ତି ।

Related Articles

Back to top button