ଟିପିସିଓଡିଏଲ୍ ଟ୍ରାନ୍ସ୍ଫର୍ମର ବସିଥିବା ଜମିରୁ କର ଆଦାୟ କରିବ ବିଏମ୍ସି
ଭୁବନେଶ୍ୱର : ରାସ୍ତା ସମ୍ପ୍ରସାରଣ ବେଳେ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସ୍ଫର୍ମର ସ୍ଥାନାନ୍ତର ଆବଶ୍ୟକତା ପଡ଼ୁଛି। ଏ ସବୁକୁ ଉଠାଇବାକୁ ହେଲେ ବିଏମ୍ସି ଟିପିସିଓଡିଏଲ୍(ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍)କୁ ଚିଠି ଲେଖୁଛି। ଟିପିସିଓଡିଏଲ୍ ବିଏମ୍ସି ଠାରୁ ଖୁଣ୍ଟ ପାଇଁ ଓ ଟ୍ରାନ୍ସ୍ଫର୍ମର ପାଇଁ ଟଙ୍କା ନେଉଛି। ଏଥିପାଇଁ ବିଏମ୍ସିକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି। ହେଲେ ଟିପିସିଓଡିଏଲ୍ ବ୍ୟବହାର କରୁଥିବା ଜମିରୁ କର ବାବଦକୁ ବିଏମ୍ସି ଟଙ୍କାଟିଏ ପାଉନାହିଁ। ଗୋଟିଏ ପଟେ ଟଙ୍କାଟିଏ ମିଳୁନାହିଁ, ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କା ବିଏମ୍ସି ରାଜକୋଷରୁ ଚାଲିଯିବା ଘଟଣାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ମେୟରଙ୍କ ଅଧ୍ୟକ୍ଷତାରେ ବସିଥିବା କଣ୍ଟ୍ରାକ୍ଟ୍ସ କମିଟି ବୈଠକରେ ଏ ନେଇ ମାନସ ମନ୍ଥନ ହେବା ସହ ସର୍ବସମ୍ମତିକ୍ରମେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁ ସବୁ ଜାଗାରେ ଟିପିସିଓଡିଏଲ୍ ଟ୍ରାନ୍ସ୍ଫର୍ମର ବସାଇଛି ସେହି ସବୁ ଜାଗାରୁ ‘ଗ୍ରାଉଣ୍ଡ ରେଣ୍ଟ’ ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଖୁବ୍ଶୀଘ୍ର କେତେ ଜାଗାରେ କେତେ ଟ୍ରାନ୍ସ୍ଫର୍ମର ବସିଛି ହିସାବ ହେବ। ଜାଗାର ପରିମାଣ ଅନୁସାରେ ରେଣ୍ଟ ଧାର୍ଯ୍ୟ ହେବା ପରେ ସମ୍ପୃକ୍ତ ଟଙ୍କା ଦାଖଲ କରିବାକୁ ଟିପିସିଓଡିଏଲ୍କୁ ନୋଟିସ୍ ଦିଆଯିବ। ଧାର୍ଯ୍ୟ ସମୟ ମଧ୍ୟରେ ଏହି ଭଡ଼ା ଦାଖଲ ନ ହେଲେ ଓପିଡିଆର ଆକ୍ଟ ବଳରେ ବିଏମ୍ସି ଆଦାୟ କରିବ ବୋଲି ନିଷ୍ପତ୍ତି ହୋଇଛି।
ଏହି ନିଷ୍ପତ୍ତିକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାର ଘରୋଇକରଣ କଲା ବେଳେ ଏଭଳି କୌଣସି ସର୍ତ୍ତ ରଖି ନାହାନ୍ତି। ଜମିରୁ ଭଡ଼ା ଆଦାୟ କରିବା ବା ହୋଲ୍ଡିଂ ଆଦାୟ କରିବା ନେଇ କୌଣସି ଚୁକ୍ତିନାମା ହୋଇ ନାହିଁ। ପୂର୍ବରୁ ଅନେକ ସମୟରେ ଏ ନେଇ ତର୍କ ହୋଇଛି। କିନ୍ତୁ କେବେ ବି ଏଭଳି ଭଡ଼ା ଆଦାୟ ହୋଇ ନାହିଁ। ପ୍ରଥମ ଥର ପାଇଁ ବିଏମ୍ସି ଏହି ଭଡ଼ା ଆଦାୟ କରିବାକୁ ଯାଉଛି। ବଡ଼କଥା ହେଉଛି ଭଡ଼ା ନ ଦେଲେ ଓପିଡିଆର(ଓଡ଼ିଶା ପବ୍ଲିକ୍ ଡିମାଣ୍ଡ ରିକଭରି ଆକ୍ଟ) ଆକ୍ଟ ବଳରେ ମାମଲା ରୁଜୁ ହେବ ବୋଲି ବିଏମ୍ସି ଚେତାବନୀ ଦେଇଛି। ତେବେ ବିଏମ୍ସିର ଏହି ଚେତାବନୀକୁ ଟିପିସିଓଡିଏଲ୍ କେତେଦୂର ଗ୍ରହଣ କରୁଛି ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି। ଅନ୍ୟପଟେ ସଚେତନ ନାଗରିକମାନେ ବିଏମ୍ସିର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ରାସ୍ତାକଡ଼ରେ ବହୁ ମୂଲ୍ୟ ଜାଗାରେ ଟ୍ରାନ୍ସ୍ଫର୍ମର ସବୁ ବସିଛି। ଏହି ଜାଗାରୁ ବିଏମ୍ସି କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରିବା ସମ୍ଭାବନା ରହିଛି। ରାଜସ୍ବ ବଢ଼ିଲେ ଆହୁରି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିବ। ଏଣୁ ଟିପିସିଓଡିଏଲ୍ଏ ବାବଦରେ ରେଣ୍ଟ ପ୍ରଦାନ କରିବା ଉଚିତ୍ ବୋଲି ବରିଷ୍ଠ ଆଇନଜୀବୀ ଳଲାଟେନ୍ଦୁ ଦାସ କହିଛନ୍ତି।
ଆକଳନ ମୁତାବକ, ଭୁବନେଶ୍ବରରେ (ବିଏମ୍ସି ଅଞ୍ଚଳରେ) ୪୦ ଟି ବିଦ୍ୟୁତ ସେକ୍ସନ ଅଧୀନରେ ପ୍ରାୟ ୨ଶହଟି ହିସାବରେ ୮ ହଜାର ଟ୍ରାନ୍ସ୍ଫର୍ମର ରହିଛି। ଯଦି ହସ୍ପିଟାଲ ଓ ଆପାର୍ଟମେଣ୍ଟଗୁଡ଼ିକରେ ବସିଥିବା ଟ୍ରାନ୍ସ୍ଫର୍ମରକୁ ହିସାବକୁ ନିଆଯାଏ ତେବେ ଏହାର ସଂଖ୍ୟା ୯ ହଜାର ଅତିକ୍ରମ କରିବ ବୋଲି କୁହାଯାଉଛି। ସେହିଭଳି ବିଏମ୍ସି ଅଞ୍ଚଳରେ ୫୬ଟି ୩୩ କେଭି ଗ୍ରିଡ୍ ମଧ୍ୟ ରହିଛି। ଗୋଟିଏ ଟ୍ରାନ୍ସ୍ଫର୍ମର ୯ ବର୍ଗମିଟର ଜାଗାରେ ବସିଥିବା ବେଳେ ଗୋଟିଏ ଗ୍ରିଡ୍ ସବ୍ଷ୍ଟେସନ ପ୍ରାୟ ୧୫୦୦ ବର୍ଗମିଟର ଅଞ୍ଚଳରେ ବସିଛି। ଏଭଳି ସମୁଦାୟ ହିସାବକୁ ନେଲେ ୧ ଲକ୍ଷ ୫୬ ହଜାର ବର୍ଗମିଟର ଜାଗାରେ ଟ୍ରାନ୍ସ୍ଫର୍ମର ଓ ସବ୍ଷ୍ଟେସନ ବସିଛି। ବିଏମ୍ସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରିବାକୁ ସକ୍ଷମ ହେଲେ ବର୍ଷକୁ ୫୦ ଲକ୍ଷରୁ ବେଶି ରାଜସ୍ବ ପାଇବ ବୋଲି ଆଶା କରାଯାଉଛି। ତେବେ ବିଏମ୍ସି କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଛି।