ଖୋର୍ଦ୍ଧାରେ ଜଙ୍ଗଲରୁ ସୁଟକେସ୍‌ରେ ମିଳିଲା ଯୁବକଙ୍କ ମୃତ ଦେହ

ଖୋର୍ଦ୍ଧା: ଯୁବକଙ୍କୁ ହତ୍ୟା କରି ସୁଟକେସ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୁତ୍ତ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ। ହରିପୁର ଫରେଷ୍ଟ ଜଙ୍ଗଲରୁ ଏହି ସୁଟକେସ୍ ମିଳିଛି। ଘଟଣା ବିଷୟରେ ଖବର ପାଇ ନାଚୁଣୀ ଥାନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ରବିବାର ଅର୍ଥାତ୍ ଆଜି ସକାଳୁ ହରିପୁର ଜଙ୍ଗଲରେ ଏକ ସୁଟକେସ୍ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ଖବର ନାଚୁଣୀ ଥାନାକୁ ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍‌କେସ୍‌କୁ ଜବତ କରିଥିଲା। ଏହାପରେ ସୁଟକେସ୍‌କୁ ଯାଞ୍ଚ ବେଳେ ଏଥିରେ ଏକ ମୃତ ଦେହ ବାହାରିଥିଲା। ଅନୁମାନ କରାଯାଉଛି ଯେ, ଯୁବକ ଜଣଙ୍କୁ କେହି ହତ୍ୟା କରି ସୁଟକେସ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି।

ନାଚୁଣୀ ଥାନା ପୋଲିସ ଘଟଣା ସ୍ଥଳରେ ଛାନିବନ୍ ଜାରି ରଖିଥିବା ବେଳେ ମୃତ ଯୁବକଙ୍କର ପରିଚୟ ମିଳି ପାରିନାହିଁ । ଯୁବକଙ୍କୁ କିପରି କେଉଁଠି ହତ୍ୟା କରାଗଲା ଏହାର ତଦନ୍ତ ବର୍ତ୍ତମାନ ସାଇଣ୍ଟିଫିକ୍ ପୋଲିସ ପହଞ୍ଚି କରୁଛି । ତଦନ୍ତ ପରେ ଅଧିକ ସୂଚନା ମିଳିପାରିବ ବୋଲି ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

Related Articles

Back to top button