କଣ୍ଟାବାଞ୍ଜି ଲଜ୍‌ରୁ ଟଙ୍କା ଜବତ ଘଟଣା: ଏସ୍‌ପିଙ୍କ ରିପୋର୍ଟରେ ଏସଡିପିଓ ହୃଷିକେଶ ମେହରଙ୍କ ଉପରେ ସନ୍ଦେହ କେନ୍ଦ୍ରୀଭୂତ

ବଲାଙ୍ଗିର:  ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୁଲିସର ଟଙ୍କା ହେରଫେର ମାମଲାକୁ ନେଇ ଥମୁନି ଚର୍ଚ୍ଚା । ଏପର୍ଯ୍ୟନ୍ତ ଏହି ଘଟଣା ଉପରୁ ପରଦା ହଟି ନ ଥିବା ବେଳେ ଏସ୍‌ପି ଏନେଇ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାଯାଇଛି। ଏସ୍‌ପି ନିଜ ରିପୋର୍ଟରେ ଏସଡିପିଓଙ୍କ କାରନାମା ସଂପର୍କରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିବା ଜଣାପଡିଛି । ତେବେ ଏପ୍ରସଙ୍ଗରେ ସଂପୃକ୍ତ ଏସ୍‌ଡିପିଓ କି ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  ।

ଏସ୍‌ପି ନୀତିନ୍ କୁଶଲକରଙ୍କ  ରିପୋର୍ଟ  ଅନୁଯାୟୀ, ସବୁ ସନ୍ଦେହ ଏସଡିପିଓ ହୃଷିକେଶ ମେହରଙ୍କ ଉପରେ କେନ୍ଦ୍ରୀଭୂତ ହେଉଥିବା ସ୍ପଷ୍ଟ ଜଣାପଡ଼ିଛି। ଏଥିନିମନ୍ତେ ସବୁ ଯୋଜନାବଦ୍ଧ ଭାବେ କରାଯାଇଥିବା ବେଳେ  ସିସିଟିଭିକୁ ବନ୍ଦ କରିଦେଇ ଜବତ ଟଙ୍କା ଗାଏବ କରାଯାଇଥିବା ରିପୋର୍ଟରୁ ଜଣାପଡ଼ୁଛି। ତେବେ କେତେ ଟଙ୍କା ଏସଡିପିଓ ଓ ଅନ୍ୟମାନେ ଲୁଚାଇ ରଖିଛନ୍ତି, ଏଥିରେ ଆଉ କିଏ କିଏ ସାମଲ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ସୂଚନା ଅନୁଯାୟୀ,  ଗତ ୧୫ ତାରିଖରେ ଅନ୍ନପୂର୍ଣ୍ଣା ଲଜ୍‌ରୁ ପୁଳାପୁଳା ଟଙ୍କା ଜବତ ଜରି ୭ ଜଣଙ୍କୁ ଗିରଫ କରିଥିଲା କଣ୍ଟାବାଞ୍ଜି ପୁଲିସ୍‌ । କଣ୍ଟାବାଞ୍ଜି  ଆଇଆଇସି ଏହି ଚଢ଼ାଉର ନେତୃତ୍ୱ ନେଇଥିବା ବେଳେ ଏନେଇ ସେ ଏସଡିପିଓ ହୃଷିକେଶ ମେହରଙ୍କୁ ଖବର ଦେଇଥିଲେ।  ଏସଡିପିଓ ତୁରନ୍ତ  ଥାନାରେ ପହଞ୍ଚି ଆଇଆଇସିଙ୍କ ଚାମ୍ବରରେ ବସିଥିଲେ।

ଆଇଆଇସି ଥାନାରେ ପହଞ୍ଚି ଏସଡିପିଓଙ୍କୁ ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଏହାପରେ ଆଇଆଇସିଙ୍କ ଚାମ୍ବରରେ ଏସଡିପିଓ ଥିବା ବେଳେ ଅଭିଯୁକ୍ତମାନେ ମଧ୍ୟ ସେଠାରେ ଅଟକି ଥିଲେ। ଏହି ସମୟରେ ଆଇଆଇସି ମାମଲା ରୁଜୁ କରିବାକୁ ଅନ୍ୟତ୍ର ଯାଇ ବ୍ୟସ୍ତ ରହିଥିଲେ। ବହୁତ ସମୟ ପର୍ଯ୍ୟନ୍ତ ଏସଡିପିଓ ଓ ଅଭିଯୁକ୍ତମାନେ ଗୋଟିଏ ଚାମ୍ବରରେ ଥିବା ବେଳେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ଭିଡିଓ ରେକର୍ଡିଂ ହୋଇଛି।

ଏହାରେ ହଠାତ୍‌ ସିସିଟିଭି ଓ ଥାନାରେ ଥିବା ୨ ଟି ଡିଭିଆର ବନ୍ଦ ହୋଇ ଯାଇଥିଲା। ହେଲେ ଏହା କ’ଣ ପାଇଁ ବନ୍ଦ ହେଲା, ଏହା ମନୂଷ୍ୟକୃତ ତ୍ରୁଟି ନା ଯାନ୍ତ୍ରୀକ ତ୍ରୁଟି ତାହା ସ୍ପଷ୍ଟ ହୋଇନି।  ଯଦି ଏହା ଯାନ୍ତ୍ରୀକ ତ୍ରୁଟି ଥିଲା, କେଉଁ ମେକାନିକ ସଜାଡ଼ିଲା ତାହା ସ୍ପଷ୍ଟ ହୋଇନି। ତେଣୁ ଯୋଜନାବଦ୍ଧ ଭାବେ ସିସିଟିଭି ବନ୍ଦ କରାଯାଇ ଟଙ୍କା ଗାଏବ କରାଯାଇଥିବା ସନ୍ଦେହ ଦୃଢୀଭୂତ ହେଉଛି।

ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଏସଡିପିଓ ହୃଷିକେଶ ମେହରଙ୍କୁ ବଲାଙ୍ଗିର ଏସ୍‌ପି ଜିଲ୍ଲା ମୁଖ୍ୟାଳୟକୁ ବଦଳି କରି ଦେଇଛନ୍ତି।  ପରେ ଏହି ଘଟଣାର ତଦନ୍ତ ଭାର ସେ ନିଜ ହାତକୁ ନେଇ ଏହାର ରିପୋର୍ଟ ଉପରିସ୍ଥ ଅଧିକାରୀ ଡିଜି, ଆଇଜି ତଥା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ତେଣୁ ଏହି ଘଟଣାର ସମାଧାନ ହୋଇ ଏଥିରେ ସମ୍ପୃକ୍ତ ଏସଡିପିଓ ଅନ୍ୟମାନଙ୍କ ବିରୋଧରେ କ’ଣ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ସମସ୍ତଙ୍କ ଆଖି ।

Related Articles

Back to top button