ବ୍ରହ୍ମପୁର ସହରରେ ୨୦ ଲକ୍ଷ ଟଙ୍କାର ବାଣ ଜବତ, ୧୯ଜଣ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବାଣ ବିକ୍ରି ପାଇଁ ପ୍ରଶାସନ ତରଫରୁ ଅନୁମତି ଦିଆଯାଇ ନାହିଁ। ଏଣୁ ବାହାରୁ ବାଣ ଆଣି କେତେକ ବ୍ୟବସାୟୀ ସହରରେ ବିକ୍ରି କରୁଛନ୍ତି। ବେଆଇନ ଭାବେ ବାଣ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବ୍ରହ୍ମପୁର ପୋଲିସ। ଗତ ଏକ ସପ୍ତାହ ମଧ୍ୟରେ ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ବାଣ ବିକ୍ରି ଉପରେ ଚଢ଼ଉ ହୋଇଛି। ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ଭିତରେ ବେଆଇନ ବାଣ ବିକ୍ରି ଏବଂ ଚାଲାଣକୁ ନେଇ ମୋଟ ୧୪ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଜବତ କରିଛି ବ୍ରହ୍ମପୁର ପୋଲିସ।
ବଡବଜାର ଥାନାରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ଗୋସାଇଁନୂଆଗାଁ ଥାନାରେ ୨ଟି, ସଦର ଥାନା ଅଞ୍ଚଳରେ ଗୋଟିଏ, ଗୋଳନ୍ଥରା ଥାନା ଅଧିନରେ ୨ଟି, ଜରଡା ଥାନା ଅଧିନରେ ୪ଟି ଏବଂ ଦିଗପହଣ୍ଡି ଥାନା ଅଧୀନରେ ଗୋଟିଏ ମାମଲା ରୁଜୁ ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି। ରବିବାର ଧନତେରାସ ଉପଲକ୍ଷେ ପୁଲିସ ପକ୍ଷରୁ ବିଭିନ୍ନ ଛକରେ ନାକାବନ୍ଦୀ ଚାଲୁଥିବା ବେଳେ ଅଟୋରୁ ବିପୁଳ ପରିମାଣର ଆତସବାଜି ଜବତ ହୋଇଥିଲା ବୋଲି ଏସପି କହିଛନ୍ତି।