ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବିଏସକେୱାଇ ବଦଳରେ ରାଜ୍ୟରେ କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଘୋଷଣା କରିଛନ୍ତି ।

ମନମୋହନ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଲୋକଙ୍କୁ କମ୍ ସୁବିଧା ମିଳୁଥିଲା । ମାତ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଲୋକମାନେ ଅଧିକ ସୁବିଧା ପାଇ ପାରିବେ । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ୬ ତାରିଖ ଦିନ ନେତା ଚୟନ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା ତାହା ଟିକେ ବିଳମ୍ବ ହୋଇପାରେ । ବିଜେପିର ସଂସଦୀୟ ବୋର୍ଡ ଯେଉଁ ନିଷ୍ପତ୍ତି ନେବେ, ତାହା ଫାଇନାଲ ହେବ । ଆସନ୍ତା ୧୦ ତାରିଖରେ ଜଣେ ଓଡ଼ିଆ ପୁଅ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେଡି ସରକାର ସମୟରେ ରାଜ୍ୟ ସରକାର ବିଏସକେୱାଇ ଲାଗୁ କରିଥିଲେ । ଏହା ମାଧ୍ୟମରେ ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକଙ୍କୁ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା । ମାତ୍ର ଚଳିତ ବର୍ଷର ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଏସକେୱାଇକୁ ନେଇ ଅନେକ ଅଭିଯୋଗ ଆସିଥିଲା । ରାଜ୍ୟର କିଛି ଘରୋଇ ହସ୍ପିଟାଲ ଏହି କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀଙ୍କୁ ଫେରାଇ ଦେଉଥିବା ନେଇ ଅଭିଯୋଗ ଆସୁଥିବା ବିଜେପି ପକ୍ଷରୁ କୁହାଯାଇଥିଲା ।

Related Articles

Back to top button