ଲାଞ୍ଜିଗଡ଼ରେ ୫ ଦିନ ହେଲାଣି ବିଏସଏନଏଲ ନେଟୱର୍କ ଫେଲ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ୫ ଦିନ ହେଲାଣି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ନେଟ୍‌ୱର୍କ ଫେଲ୍‌ ରହିଥିବା ଅଭିଯୋଗ ହୋଇଛି। ଫଳରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ଅସନ୍ତୋଷ ଦେଖାଦେଇଛି।
ବିଏସ୍‌ଏନ୍‌ଏଲ୍‌ ଏକ ପୁରୁଣା ଟେଲିକମ୍‌ କମ୍ପାନୀ ହୋଇଥିବା ବେଳେ ଲୋକେ ଏବେ ବି ଏହି ସିମ୍‌ର ବହୁଳ ବ୍ୟବହାର କରୁଛନ୍ତି। ଏପରି କି ଅଞ୍ଚଳର ଅଫିସଗୁଡିକରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ର ବ୍ୟବହାର ହେଉଛି। ଏଭଳି ସ୍ଥତିରେ ନେଟ୍‌ଓ୍ବର୍କ ଫେଲ୍‌ ହେବା ଯୋଗୁ ଲୋକଙ୍କ ଆସ୍ଥା ହରାଉଛି । ଅଞ୍ଚଳର ଅଧିକାଂଶ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିଏସ୍‌ଏନ୍‌ଏଲ୍‌ ନମ୍ବର ଥିବାରୁ ବର୍ତ୍ତମାନ ସେମାନେ ଟ୍ରାଞ୍ଜାକ୍ସନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷେ ଲାଞ୍ଜିଗଡ଼ ଅଞ୍ଚଳରେ ବିଦ୍ୟୁତ୍‌ କଟିଲେ ନେଟ୍‌ୱର୍କ ମଧ୍ୟ ଫେଲ୍‌ ରହୁଛି। ଏଭଳିସ୍ଥିତିରେ ଏହାକୁ ଠିକ୍‌ କରିବାରେ ୩ରୁ ୪ ଦିନ ଲାଗୁଛି। ଏଥିପ୍ରତି ଅଧିକାରୀଙ୍କ କୌଣସି ନିଘା ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ପଚାରିଲେ ଏହାର ଠିକ୍‌ ଉତ୍ତର ମିଳୁନାହିଁ I ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।
ଅନ୍ୟପକ୍ଷେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଟାୱାର ସ୍ଥାପନ କରୁଛନ୍ତି। ହେଲେ ସରକାରୀବାବୁଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ତାହା ବାଟବଣା ହେବାରେ ଲାଗିଛି। ଲାଞ୍ଜିଗଡ଼ ସହରରେ ଲୋକେ ଅଧିକ ମାତ୍ରାରେ ବିଏସ୍‌ଏନଏଲ୍‌ ସିମ୍‌ ବ୍ୟବହାର କରୁଛନ୍ତି। ହେଲେ ସେବା ନ ମିଳିବାରୁ ଶେଷରେ ସିମ୍‌ ବଦଳାଇବାକୁ ବାଧ୍ୟ ହେଉଛନ୍ତି I ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର, ଦୁର୍ଗମ ଏବଂ ଘାଟି ଅଞ୍ଚଳରେ ଥିବା ମୁଷନାଳ ଓ ବିଜେପୁରଠାରେ ବିଏସ୍‌ଏନଏଲ୍‌ ଟାୱାର ସ୍ଥାପନ କରାଯାଇଛି। ହେଲେ ତାହା ନାମକୁମାତ୍ର। ନେଟ୍‌ଓ୍ବର୍କ ପାଇଁ ଲୋକେ ହାତୀଶାଳ ଘାଟିକୁ ଆସୁଥିବା ଦେଖିବାକୁ ମିଳୁଛି। ଦୁର୍ଗମ ଅଞ୍ଚଳରେ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଦରକାର ପଡିଲେ ଲୋକେ ଅସୁବିଧା ଭୋଗୁଛନ୍ତି। ଏନେଇ ଲୋକେ କମ୍ପାନୀ ପ୍ରତି ବିମୁଖ ହେଉଛନ୍ତି । ଏନେଇ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଲେଣିି। ଏହାକୁ ନେଇ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନକୁ ଏଡାଇ ଦିଆଯାଇ ନ ପାରେ। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Related Articles

Back to top button