ସୁନାନଗର ଘାଟିରେ ବସ୍‌ ଦୁର୍ଘଟଣା

କୋରୁକୋଣ୍ଡା: ଜୟପୁରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସରକାରୀ ଅଲ୍ଟ୍ରା ବସ୍‌ଟି କୁଡୁମୁଲୁଗୁମ୍ମା ନିକଟସ୍ଥ ସୁନାନଗର ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ବସ୍‌ଟି ଦ୍ରୁତଗତିରେ ବାଲିମେଳା ଆଡ଼କୁ ଯାଉଥିବା ବେଳେ ସୁନାନଗର ଘାଟିଠାରେ ହଠାତ୍‌ ଛେଳିପଲ ରାସ୍ତା ଉପରକୁ ଚାଲି ଆସିଥିଲେ। କିନ୍ତୁ ଡ୍ରାଇଭର ଉକ୍ତ ଛେଳିମାନଙ୍କୁ ବଞ୍ଚାଇବାକୁ ଯାଇ ଜୋରରେ ବ୍ରେକ୍‌ ମାରିଥିଲେ। ଫଳରେ ଗାଡ଼ିଟିି ଭାରସାମ୍ୟ ହରାଇ ଗୋଟିଏ ପଟକୁ ଓଲଟି ପଡ଼ିଥିଲା। ଖବର ପାଇ କୁଡୁମୁଲୁଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରାଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପାଖାପାଖି ୧୦ ଜଣ ଯାତ୍ରୀ ଚିକିତ୍ସିତ ହୋଇଥିବା ବେଳେ କାହାରିକୁ ଗଭୀର ଆଘାତ ଲାଗି ନ ଥିବା କଥା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ପାଇଁ ଗାଡ଼ି ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପଚରାଉଚରା କରୁଛି।

Related Articles

Back to top button