୧୨ ବିଭାଗ ମାନୁ ନାହାନ୍ତି ଆର୍ଥିକ ଶୃଙ୍ଖଳା, ୬ମାସ ଧରି ଦେଇନାହାନ୍ତି ତଥ୍ୟ: ମହାଲେଖାକାର

ଭୁବନେଶ୍ୱର: ଓଡ଼ିଶାର ଆର୍ଥିକ ସୁପରିଚାଳନାକୁ କେନ୍ଦ୍ର ସରକାର ପ୍ରଶଂସା କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାଠାରୁ ଆରମ୍ଭ କରି ବିଭିନ୍ନ ଫୋରମରେ କୁହାଯାଉଛି। ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ରହିଛି। ରାଜ୍ୟ ସରକାରଙ୍କ ବଜେଟ ଅର୍ଥ ଠିକଣା ଢଙ୍ଗରେ ଖର୍ଚ୍ଚ ହେଉନାହିଁ ବୋଲି ମହାଲେଖାକାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ବଜେଟ ପ୍ରସ୍ତୁତି ପୂର୍ବରୁ ଯେଉଁ ପ୍ରସ୍ତାବ ଦିଆଯାଉଛି ଏବଂ ଗୃହରେ ବ୍ୟୟମଞ୍ଜୁରୀକୁ ଅନୁମୋଦନ ମିଳୁଛି ସେହି ନିୟମରେ ବିଭାଗଗୁଡିକ ଖର୍ଚ୍ଚ କରୁନାହାନ୍ତି। ଏମିତିକି ମାସିକିଆ ତଥ୍ୟ ମିଳୁନାହିଁ ବୋଲି ମହାଲେଖାକାର(ଏଜି)ଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏହାକୁ ନେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଅସନ୍ତୋଷବ୍ୟକ୍ତ କରିବା ସହିତ ସଂପୃକ୍ତ ୧୨ଟି ବିଭାଗର ଅର୍ଥ ଉପଦେଷ୍ଟାଙ୍କୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି।

ଏଜିଙ୍କ ଅଭିଯୋଗ ଅନୁଯାୟୀ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସାଧାରଣ ପ୍ରଶାସନ ବିଭାଗ, ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ, ବାଣିଜ୍ୟ ଓ ପରିବହନ, ଶିଳ୍ପ, ସମବାୟ, ବିଦ୍ୟାଳୟ ଓ ଗଣଶିକ୍ଷା, ଆଇନ, ରାଜସ୍ବ, କ୍ରୀଡା, ଇସ୍ପାତ ଓ ଖଣି ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅର୍ଥ ଉପଦେଷ୍ଟାମାନେ ବଜେଟ ଅର୍ଥ ବେନିୟମ ଭାବେ ଖର୍ଚ୍ଚ କରୁଛନ୍ତି। ବଜେଟର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ତଥ୍ୟ ପ୍ରତିମାସରେ ପୁନଃମେଳକ(ରିକନ୍‌ସିଲେସନ) ହେବା କଥା। ଯାହାଦ୍ବାରା କେଉଁ ଯୋଜନା ବାବଦ ଅର୍ଥ କେଉଁ ବାଟରେ ଖର୍ଚ୍ଚ ହେଲା ତାହାର ସ୍ବଚ୍ଛତା ରହିବା ସହିତ ଧରାପଡିବ। ହେଲେ ଗତ ୬ମାସ ଧରି ଏହିସବୁ ବିଭାଗ ଏଦିଗରେ ଗୁରୁତ୍ବ ଦେଉ ନାହାନ୍ତି। ସେହିପରି କୋଷାଗାର ଅଧିକାରୀମାନେ ପେନସନ ବାବଦ ଲାଭାଂଶ ଓ ନୂତନ ଉନ୍ନତିକରଣ କାର୍ଯ୍ୟର ବିଲ୍ କରିବା ବେଳେ ତ୍ରୁଟି କରୁଛନ୍ତି। ସଂପୃକ୍ତ ଅଧିକାରୀଙ୍କୁ ଏନେଇ ସଚେତନ କରିବାର ଆବଶ୍ୟକତା ରହିଛି। ଏହାବାଦ୍ ୨୦ଟି ଆକାଉଣ୍ଟ(ସବ୍-ହେଡ୍) ମହାଲେଖାକାରଙ୍କ ବିନା ଜ୍ଞାତରେ ଖୋଲାଯାଇ ଚଳାଯାଉଛି। ସରକାର ଏବଂ ମହାଲେଖାକାରଙ୍କ କାର୍ଯ୍ୟାଳୟ ମଧ୍ୟରେ ଯେଭଳି କାଗଜପତ୍ର ବିନିମୟ ନ ହେବ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ଭାବେ କାର୍ଯ୍ୟ ହେବା କଥା ସେଥିପ୍ରତି ଗୁରୁତ୍ବ ଦେବାକୁ ମହାଲେଖାକାରଙ୍କ ପକ୍ଷରୁ ଅର୍ଥ ବିଭାଗ ପ୍ରମୁଖ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Related Articles

Back to top button