ଏମକେସିଜିରେ ୫୫ କୋଟି ଟଙ୍କା ବ୍ୟୟରେ ହେବ କର୍କଟ ଯତ୍ନ କେନ୍ଦ୍ର

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ନିର୍ମାଣ ହେବ ୧୦୦ ଶଯ୍ୟା ନୂତନ କର୍କଟ ଯତ୍ନ କେନ୍ଦ୍ର। ୪ ମହଲା ବିଶିଷ୍ଟ ଏହି କୋଠା ନିର୍ମାଣ ପାଇଁ ୫୫ କୋଟି ଟଙ୍କା ଖର୍ଚ୍ଚ ହେବ। କଲିକତାର ଏକ ଘରୋଇ ସଂସ୍ଥା ଏହି କେନ୍ଦ୍ର ନିର୍ମାଣ କରିବାକୁ ଟେଣ୍ଡର ହାତେଇଛି।

ଦକ୍ଷିଣ ଓଡିଶାର ଏକମାତ୍ର ସରକାରୀ ଡାକ୍ତରଖାନା ଭାବେ ଏମକେସିଜିରେ କର୍କଟ ଚିକିତ୍ସା ବିଭାଗ ରହିଛି। ବିଭିନ୍ନ ଜିଲାରୁ ପ୍ରତ୍ୟେକ ଦିନ ୨୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଏମକେସିଜିର ରଞ୍ଜନରଶ୍ମୀ(ରେଡିଓଲୋଜି) ବିଭାଗ ଅଧିନରେ ଥିବା କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଆନ୍ତଃବିଭାଗ(ଇନଡୋର)ରେ ମାସ ମାସ ଧରି ରୋଗୀମାନେ ରହି ଚିକିତ୍ସିତ ହେଉଛନ୍ତି। ହେଲେ ଏଠାରେ ଆବଶ୍ୟକୀୟ ଡାକ୍ତର ଓ ଅତ୍ୟାଧୁନିକ ସରଞ୍ଜାମ ନଥିବାରୁ ଅଧିକାଂଶ ରୋଗୀଙ୍କୁ କଟକ ସ୍ଥାନାନ୍ତର କରିଦିଆଯାଉଛି। ଯାହାଦ୍ବାରା ଦକ୍ଷିଣ ଓଡ଼ିଶାର ଗରିବ ରୋଗୀମାନେ ନାନା ପ୍ରକାର ସମସ୍ୟାରେ ପଡୁଛନ୍ତି।

ସେହିପରି ଏମକେସିଜିରେ ଥିବା କର୍କଟ ବିଭାଗ କୋଠା ବହୁ ପୁରୁଣା ହୋଇଯାଇଥିବା ବେଳେ ସେଠାରେ ରୋଗୀଙ୍କୁ ରଖି ଚିକିତ୍ସା କରିବା ସମ୍ଭବ ହୋଇପାରୁନାହିଁ। ସେଥିପାଇଁ କରୋନା ମହାମାରୀ ସମୟରେ ନିର୍ମିତ ହୋଇଥିବା ଅସ୍ଥାୟୀ ତଥା ପୋର୍ଟାବେଲ ହସପିଟାଲରେ କର୍କଟ ବିଭାଗ ରୋଗୀଙ୍କୁ ରଖି ଚିକିତ୍ସା କରାଯାଉଛି। ଏମକେସିଜିରେ ଦିନକୁ ଦିନ ରୋଗୀ ବଢୁଥିବା ବେଳେ ଭିତ୍ତିଭୂମିର ଅଭାବ ପରିଲିଖିତ ହେଉଛି। ସର୍ଜିକାଲ ଅଙ୍କଲୋଜିଷ୍ଟ ଭଳି ବିଶେଷଜ୍ଞ ଓ ସେହି ସମ୍ବନ୍ଧୀୟ ଉପକରଣ ଅଭାବରୁ ଏଠାରେ ରୋଗୀଙ୍କ ବଡ ଅ​‌େ​‌ସ୍ତ୍ରାପଚାର ହୋଇପାରୁ ନାହିଁ। ସେହିପରି କେବେ ରେଡିଏସନ ଥେରାପିଷ୍ଟଙ୍କ ଅଭାବ ତ ଆଉ କେତେବେଳ ଡାକ୍ତରଙ୍କ ଅଭାବ ଲାଗିରହୁଛି। ଏଭଳି ସ୍ଥିତିରେ ଏମକେସିଜିରେ ଏକ ଅତ୍ୟାଧୁନିକ କର୍କଟ ଚିକିତ୍ସା କେନ୍ଦ୍ର ନିର୍ମାଣ କରିବାକୁ ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିଲା।

ପ୍ରଥମେ ଏଠାରେ ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ର ନିର୍ମାଣ ପାଇଁ ଯୋଜନା କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କର୍କଟ ଯତ୍ନ କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏମକେସିଜି ଖେଳପଡ଼ିଆ ନିକଟରେ ଥିବା ୧୪ହଜାର ୫୦୦ ବର୍ଗମିଟର ବିଶିଷ୍ଟ ଖୋଲା ସ୍ଥାନରେ କର୍କଟ ଯତ୍ନ କେନ୍ଦ୍ର ନିର୍ମାଣ କରାଯିବ। ଏହି କେନ୍ଦ୍ର ନିର୍ମାଣ ପାଇଁ କିଛି ମାସ ତଳେ ଟେଣ୍ଡର ଆହ୍ବାନ କରାଯାଇଥିଲା। କୋଲକତାର ଏକ ସଂସ୍ଥା ଟେଣ୍ଡର ପାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ୪ ମହଲା ବିଶିଷ୍ଟ ଏହି କୋଠାରେ ୧୦୦ ଶଯ୍ୟାର ଆନ୍ତଃବିଭାଗ ରହିବ। ସେହିପରି ଏହି କୋଠାରେ ରୋଗୀଙ୍କ ପାଇଁ ଆଉଟଡୋର, ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ମିଳନୀ କକ୍ଷ, ପାର୍କିଂ ଏରିଆ, ରୋଗୀଙ୍କ ପ୍ରତିକ୍ଷାଳୟ ଆଦି ନିର୍ମାଣ କରାଯିବ ବୋଲି ରାସ୍ତା ଏବଂ କୋଠାବାଡି(R&B) ଏମ କେ ସି ଜି ଡିଭିଜନର କନିଷ୍ଠ ଯନ୍ତ୍ରୀ କୁଳମଣୀ ଏକ୍କା ପ୍ରକାଶ କରିଛନ୍ତି।

Related Articles

Back to top button