
ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଦୁଇ ରେଳ କର୍ମଚାରୀଙ୍କୁ CBIର ନୋଟିସ୍
ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ମାମଲା । ରବିବାର ସିବିଆଇରେ ହାଜର ପାଇଁ ଦୁଇ ରେଳ କର୍ମଚାରୀଙ୍କୁ ନୋଟିସ ଦିଆଯାଇଛି । ଷ୍ଟେସନ ମାଷ୍ଟରଙ୍କ ସହ ଅନ୍ୟ ଜଣେ ରେଳ କର୍ମଚାରୀଙ୍କୁ ନୋଟିସ ହୋଇଥିବା ଜଣାପଡିଛି ।
ସେପଟେ ଏହି ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କୁ ରିମାଣ୍ଡରେ ନେଇ ମାରାଥନ୍ ଜେରା କରୁଛି ସିବିଆଇର ସ୍ବତନ୍ତ୍ର ଟିମ୍। ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡଯନ୍ତ୍ର ରହିଛି କି ନାହିଁ, ଏସବୁ ଦିଗ ଉପରେ ସିବିଆଇ ଅଧିକ ତଦନ୍ତ ଚଳାଇଛି। ୫ ଦିନିଆ ରିମାଣ୍ଡରେ ଆସିଥିବା ୩ ରେଳ ଅଧିକାରୀଙ୍କୁ ଚନ୍ଦକା ଥାନାରେ ଅଲଗା ଅଲଗା ଜେରା କରାଯାଉଛି। ଆଜି ୩ ଅଭିଯୁକ୍ତ ଅରୁଣ ମହାନ୍ତ, ମହମ୍ମଦ ଅମୀର ଖାନ ଓ ପପୁ କୁମାର ଙ୍କୁ ଦୁର୍ଘଟଣାସ୍ଥଳ ସହ ସୋର ଏବଂ ବାଲେଶ୍ଵରର ସିଗନାଲ୍ ରୁମ ଓ ରିଲେ ରୁମ ନେଇ ତଦନ୍ତ କରିବ ସିବିଆଇ ଟିମ୍ ।
ରେଳ ଦୁର୍ଘଟଣା ପାଇଁ କୌଣସି ଯୋଜନା କରାଯାଇଥିବା ପ୍ରମାଣ ମିଳେ ତେବେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ହତ୍ୟା ମାମଲା ଅର୍ଥାତ୍ 302 ଦଫା ଲାଗୁ କରାଯିବ ବୋଲି ଜଣା ପଡିଛି । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ସାରା ଦେଶର ନଜର ଥିବାରୁ ଏସ୍ ପି ଓ ଡିଆଇଜି ପାହ୍ୟାର ଅଧିକାରୀ ତଦନ୍ତରେ ସାମିଲ ହୋଇଛନ୍ତି। ରିମାଣ୍ଡ ଅବଧି ଆଉ ୪ ଦିନ ଥିବା ବେଳେ ଅଭିଯୁକ୍ତଙ୍କଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବାହାର କରିବାକୁ ଚେଷ୍ଟା ଚଳାଇଛି ତଦନ୍ତକାରୀ ଟିମ୍।