
ଅଲଚିକି ଲିପିର ୧୦୦ ବର୍ଷ ପୂରଣ ସମାରୋହ ୧ ବର୍ଷ ବ୍ୟାପି ସାରା ରାଜ୍ୟରେ ପାଳିତ ହେବ
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହା ସହିତ ଅଲଚିକି ଲିପିର ୧୦୦ ବର୍ଷ ପୂରଣ ସମାରୋହ ୧ ବର୍ଷ ବ୍ୟାପି ସାରା ରାଜ୍ୟରେ ହେବ ଓ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଏକ ଅନ୍ତର୍ଜାତୀୟ ସେମିନାର ଆୟୋଜନ ହେବ । ସେହିପରି ପଣ୍ଡିତ ମୁର୍ମୁଙ୍କ ରଚିତ ସମସ୍ତ ପୁସ୍ତକ ଗୁଡିକୁ ଜନାଦୃତ କରାଇବା ପାଇଁ, ବାରିପଦାରେ ଅଲଚିକି ଲାଇବ୍ରେରୀ ପ୍ରତିଷ୍ଠା, ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର-ସଂଗ୍ରହାଳୟ ଏବଂ ତାଙ୍କ କର୍ମଭୂମି ଠାରେ ଐତିହ୍ୟ ଭବନ ପ୍ରତିଷ୍ଠା କରାଯିବ । ଏହି ସବୁ କାର୍ଯ୍ୟ ପାଇଁ ସମୁଦାୟ ୫୦ କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସାନ୍ତାଳୀ ଭାଷାର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ଅଂଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ପଣ୍ଡିତ ମୂର୍ମୁଙ୍କ ଜୀବନ କେବଳ ଜଣେ ବ୍ୟକ୍ତି ଭାବେ ନୁହେଁ, ସେ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ । ଅଲଚିକି ଲିପିର ୧୦୦ ବର୍ଷ ପୂର୍ତ୍ତି ପାଳନ କେବଳ ଜଣେ ଉଦ୍ଭାବକଙ୍କ ମାନସିକ ସୃଷ୍ଟିର ସମ୍ମାନ ନୁହେଁ ବରଂ ଏହା ଏକ ଜନଜାତିର ଭାଷା, ସଂସ୍କୃତି ଓ ଅସ୍ମିତାର ଏକ ମୁକ୍ତ ଅଭିଯାନର ପରିଚୟ । ତାଙ୍କ ଲିପି ଉଦ୍ଭାବନ କେବଳ ଶାବ୍ଦିକ ପରିବର୍ତ୍ତନ ନୁହେଁ, ତାହା ଥିଲା ଏକ ସଂସ୍କୃତି ଉନ୍ନତିର ନୂଆ ଅଧ୍ୟାୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଯେଉଁ ସମାଜ ନିଜ ଭାଷାରେ ଗର୍ବ ଅନୁଭବ କରେ, ସେହି ସମାଜ ଆଗକୁ ବଢ଼େ। ଅଲଚିକି ଏହି ଗର୍ବର ପ୍ରତୀକ। ଏହା ମନୁଷ୍ୟକୁ ଶିକ୍ଷା, ସଂହତି, ଓ ସଂସ୍କୃତିରେ ଏକ ଜନଶକ୍ତି ରୂପେ ଗଢ଼ିଥାଏ । ଓଡ଼ିଶା ସରକାର ଏହି ଲିପି ଓ ସାନ୍ତାଳୀ ଭାଷା ପ୍ରତି ସଦା ଗଭୀର ଦୃଷ୍ଟି ଓ ପ୍ରଶ୍ରୟ ଦେଇଛନ୍ତି । ପ୍ରାଥମିକ ଶିକ୍ଷାରେ ସାନ୍ତାଳୀ ଭାଷାର ଅନୁଷ୍ଠାନ, ପାଠ୍ୟପୁସ୍ତକ ତିଆରି, ଶିକ୍ଷକ ପ୍ରଶିକ୍ଷଣ, ଓ ଭାଷା ଶୋଧ କେନ୍ଦ୍ର ସୃଷ୍ଟି ଦ୍ୱାରା ଆମେ ଏହାକୁ ଆଗକୁ ନେଉଛୁ । ସାନ୍ତାଳ ସମାଜ ପାଇଁ ପଣ୍ଡିତ ମୁର୍ମୁ ଦେଖିଥିବା ପଥ ଆଜି ମଧ୍ୟ ଆଲୋକମୟ । ଆମ ପିଢ଼ି ତାଙ୍କ ଦେଖିଥିବା ମୂଲ୍ୟବୋଧ, ଜ୍ଞାନ, ଓ ସଂସ୍କୃତି ପ୍ରତି ପ୍ରେମକୁ ଅନୁସରଣ କରୁ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । । ଅନ୍ୟ ଭାଷା, ଅନ୍ୟ ଧର୍ମ, ଅନ୍ୟ ସଂସ୍କୃତି ପାଇଁ ସମ୍ମାନ ଓ ଆତ୍ମସମ୍ମାନ ହେଉ ସାମ୍ପ୍ରଦାୟିକ ସମନ୍ୱୟର ମୂଳ ଶକ୍ତି। ତାଙ୍କ ଦର୍ଶନ ଓ ଆଦର୍ଶକୁ ଆଗେଇନେବା ଆମ ସମସ୍ତଙ୍କର ଦାୟିତ୍ୱ। ତାଙ୍କ ନାମରେ ଏକ ମେଡିକାଲ କଲେଜ୍ ଖୋଲାଯାଇଛି। ତାଙ୍କ ନାମରେ ଆହୁରି ଅଧିକ ଗବେଷଣା କେନ୍ଦ୍ର, ଶିକ୍ଷାନୁଷ୍ଠାନ ସ୍ଥାପିତ କରିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର କାର୍ଯ୍ୟକୁ ଆହୁରି ଜୋରଦାର୍ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଗୋରୁ ଗୋମକେ ଗୋଟିଏ ଏମିତି ଫୁଲ ଥିଲେ, ଯିଏ ମଉଳିବା ପରେ ମଧ୍ୟ ନିଜ ସୁଗନ୍ଧ ପ୍ରସାରି ଚାଲିଛନ୍ତି ।