ପ୍ରବଳ ବର୍ଷା ସମ୍ଭାବନା; ପାଣିପାଗ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଆଜି ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ବାୟୁମଣ୍ଡଳର ୫.୮ କି.ମି. ଯାଏଁ ସକ୍ରିୟ ରହିଛି । ମୌସୁମୀ ନିମ୍ନ ଚାପରେଖା ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୭ ଜୁଲାଇ ମଧ୍ୟରେ ୨୦୬.୮ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୨୭୬.୬ ମି.ମି. ତୁଳନାରେ ୨୫ ପ୍ରତିଶତ କମ ରହିଛି । ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୧୦.୮ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୨୬୮.୩ ମିମି ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି ।

Related Articles

Back to top button