୪ ଦିନ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ୧୦ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ତୁହାକୁ ତୁହା ବର୍ଷା ପବନ ମାଡ଼ରେ ଶତାଧିକ ଗଛ ଉପୁଡିଛି । ନୟାଗଡ଼ କଣ୍ଟିଲୋରେ ଗଛ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଜୟପାଟଣାରେ ଜଣେ ଯୁବତୀ ଏବଂ ଧର୍ମଗଡ଼ ବ୍ଲକରେ ଆଉ ଜଣେ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଜଣେ ଗୁରୁତର ଆହତ ହୋଇଛନ୍ତି ।
କାଳବୈଶାଖୀ ଜନିତ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଏସ୍ ଆରସି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ, ଜଗତିଂହପୁର, ଯାଜପୁର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ବାଲେଶ୍ବର, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ପବନ ହୋଇଛି । ଆସନ୍ତା ୪ ଦିନ ଧରି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୭ରେ ଅଧିକ ଝଡ ପବନ ହେବା ଆଶଙ୍କା ରହିଛି ।
ଉପକୂଳ ଏବଂ ଉତ୍ତର ଓଡିଶାରେ କାଳ ବୈଶାଖୀ ପ୍ରଭାବରୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ତେବେ ପଶ୍ଚିମ ଓଡିଶାରେ ନିସ୍ତାର ନାହିଁ । ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ଗତକାଲି ତାତି ୪୨ ଡିଗ୍ରୀ ଉପରେ ଥିଲା । ଆଜି ମଧ୍ୟ ସୁନ୍ଦରଗଡ, ସମ୍ବଲପୁର, ଅନୁଗଗୋଳ, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ଏବଂ ବରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବା ବୋଲି ପୂର୍ବାନୁମାନ କରାଯାଇଛି ।