ଆଜିଠୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ଘୋଷଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହିତ ଘୋଷଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ ହେବ । ସେଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ ।

ତେବେ ରଥଖଳାକୁ ଆଜ୍ଞାମାଳ ବିଜେ କରିବା ପରେ ୩ ଖଣ୍ଡ ଧଉରା କାଠରେ ରଥ ନିର୍ମାଣ ଅନୁକୂଳ କରାଯିବ । ବୈଶାଖ ମାସ ତୃତୀୟା ସତ୍ୟ ଯୁଗର ଉତ୍ପତ୍ତି ଦିବସ ହୋଇଥିବା ବେଳେ ରାଜଗୁରୁ ଓ ସ୍ତୋତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ଅନୁକୂଳ କରାଯିବ ରଥ କାମ । ଏହି ଅବସରରେ ତିନି ରଥର ମୁଖ୍ୟ ମହାରଣା, ଭୋଇ ସର୍ଦ୍ଦାରଙ୍କ ସମେତ, ମୁଖ୍ୟ କମାର, କରତୀ ଓ ରୂପକାର ସେବାୟତମାନଙ୍କୁ ରାଜଗୁରୁ ଶାଢ଼ୀ ବାନ୍ଧିବା ପରେ ଆରମ୍ଭ ହେବ ରଥକାମ ।

ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ରୌଦ୍ରତାପରୁ ଆଶ୍ବସ୍ତି ପାଇଁ ନୌବିହାର କରିବେ ମହାପ୍ରଭୁ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ, ପଞ୍ଚୁ ପାଣ୍ଡଵ ଓ ରାମ କୃଷ୍ଣ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିବେ। ସେପଟେ ମହାରଣା ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ହୋଇ ରହିଛନ୍ତି ନନ୍ଦା ଓ ଭଦ୍ରା । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚନ୍ଦନଯାତ୍ରା ପାଇଁ ସମସ୍ତ ନୀତିକାନ୍ତି ପ୍ରସ୍ତୁତ କରାଯାଇଛି ।

ତେବେ ଅପରାହ୍ନ ୩ଟାରେ ଦ୍ବାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା କରାଯିବ । ପରେ ଅପରାହ୍ନ ୩ଟା ୩୦ରେ ବିମାନକୁ ଦିଅଁ ବିଜେ କରିବେ । ଏହାପରେ ଅପରାହ୍ନ ୪ଟାରେ ରଥ କାମ ପାଇଁ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ । ସର୍ବଶେଷରେ ରାତ୍ରି ୧୦ ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ ।

Related Articles

Back to top button