ଆରମ୍ଭ ହେଲା ଚଉଷଠୀ ଯୋଗିନୀ ଅନ୍ତର୍ଜାତୀୟ ମହୋତ୍ସବ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଚଉଷଠୀ ଯୋଗିନୀ ଅନ୍ତର୍ଜାତୀୟ ମହୋତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିସହିତ ସମ୍ମାନିତ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଯୋଗସେବା ସହ ଖୋର୍ଦ୍ଧା ଜିଲ୍ଲାପାଳ, ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରସିଦ୍ଧ ହୀରାପୁର ଚଉଷଠୀ ଯୋଗିନୀ ପୀଠରେ ପ୍ରତିବର୍ଷ ଅନ୍ତର୍ଜାତୀୟ ଚଉଷଠୀ ଯୋଗିନୀ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । । ଆଜିଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି ମହୋତ୍ସବ ଚାଲିବ । ଏହି ମହୋତ୍ସବ ପାଇଁ ହୀରାପୁର ଗ୍ରାମବାସୀ ଓ ନୃତ୍ୟ ପ୍ରତିଭା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଗତ ୧୧ ତାରିଖରେ ମହାମାୟା ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଚଳିତ ବର୍ଷ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ନୃତ୍ୟ ପ୍ରତିଭା ଅନୁଷ୍ଠାନର ସଭାପତି ପୂର୍ବରୁ ନିବେଦନ କରିଥିଲେ । ଏହି ଅବସରରେ ଉକ୍ତ ବୈଠକରେ ଚଳିତ ବର୍ଷର ଚଉଷଠୀ ଯୋଗିନୀ ଚିତ୍ରକଳା ସମ୍ମାନ, ଚଉଷଠୀ ଯୋଗିନୀ ଚିତ୍ରକଳା ସମ୍ମାନ, ଚଉଷଠୀ ଯୋଗିନୀ ନାଟ୍ୟ ସମ୍ମାନ, ଚଉଷଠୀ ଯୋଗିନୀ ସାହିତ୍ୟ ସମ୍ମାନ ଓ ଚଉଷଠୀ ଯୋଗିନୀ ନୃତ ପ୍ରତିଭା ସମ୍ମାନ ପାଇଁ ଯୋଗ୍ୟ ବ୍ୟକ୍ତିମାନଙ୍କୁ ମନୋନୀତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଚଉଷଠୀ ଯୋଗିନୀ ପୀଠ ସ୍ଥାନୀୟ ଅଞ୍ଚଳରେ ମହାମାୟା ମନ୍ଦିର ଭାବେ ଜଣାଶୁଣା । ଏଥିସହିତ ଏହାକୁ ତନ୍ତ୍ରପୀଠ ମଧ୍ୟ କୁହାଯାଇଥାଏ ।

ଭୁବନେଶ୍ୱରଠାରୁ ପାଖାପାଖି ୧୦ କିମି ଦୂର ବାଲିଅନ୍ତା ଥାନା ଓ ପଞ୍ଚାୟତି ସମିତି ଅନ୍ତର୍ଗତ ବାଳକାଟିଠାରୁ ୨-୩ କିମି ଦୂରରେ ଥିବା ଭାର୍ଗନଦୀ ନଦୀର ତଟ ଦେଶରେ ଥିବା ହୀରାକୁର ଗ୍ରାମରେ ଏହା ଅବସ୍ଥିତ । ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଭୌମ୍ୟ ବଂଶର ଶାନ୍ତା ନାମକ ଜଣେ ରାଜା ସେଠାରେ ରାଜୁତି କରୁଥିଲେ ବୋଲି କୁହାଯାଏ । ରାଜାଙ୍କର ହୀରାବତୀ ନାମକ ଜଣେ ପାଟରାଣୀ ଥିବାବେଳେ ତାଙ୍କ ନାମାନୁସାରେ ଉକ୍ତ ଗ୍ରାମର ନାମ ହୀରାପୁର ହୋଇଛି ବୋଲି କିମ୍ବଦନ୍ତୀରୁ ଜଣାପଡ଼ିଛି ।

Related Articles

Back to top button