ଛତିଶଗଡର କୋକରାଲ ଡ୍ୟାମକୁ ମାଲକାନଗିରିରେ ବିରୋଧ: ମାଥିଲି ବ୍ଲକର ୫୮ ଗ୍ରାମ ବୁଡିବ

ମାଲକାନଗିରି: ମାଥିଲି ବ୍ଲକର ସୀମାନ୍ତ କମାରପାଲୀ ପଞ୍ଚାୟତ ଓ ଛତିଶଗଡ ସୀମାକୁ ଲାଗି ରହିଥିବା ଚକାବକା ନଦୀ ଉପରେ ଛତିଶଗଡ଼ ସରକାର କୋକରାଲ ଡ୍ୟାମ ନିର୍ମାଣ କରିବାକୁ ଯାଉଥିବା ବେଳେ ଏହାକୁ ସ୍ଥାନୀୟ ଅଂଚଳର ଲୋକେ ବିରୋଧ କରିଛନ୍ତି। ଏହି ଡ୍ୟାମ ନିର୍ମାଣ ହେଲେ ମାଥିଲି ବ୍ଲକର ମହୁପଦର, ସାଲିମି, ଟେମରୁପାଲୀ, କୋତାପାଲୀ, କିଆଙ୍ଗ, କମାରପାଲୀ ଏବଂ ମେକା ପଞ୍ଚାୟତର ପ୍ରାୟ ୫୮ଟି ଗ୍ରାମ ପାଣିରେ ବୁଡିବ ବୋଲି କୁହାଯାଇଛି।

ଗୋଟିଏ ପଟେ ପୋଲାଭରମ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ସଂପୂର୍ଣ୍ଣ ପାଣିରେ ବୁଡିବା ନେଇ ଆନ୍ଧ୍ର ସରକାରଙ୍କ ସହ ଲଢେଇ ଜାରି ରହିଥିବା ବେଳେ ଏବେ ଛତିଶଗଡ଼ ସରକାର କୋକରାଲ ଡ୍ୟାମ ନିର୍ମାଣ କରି ଓଡିଶାର ୫୮ଟି ଗ୍ରାମକୁ ପାଣିରେ ବୁଡାଇବାର ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାକୁ ସ୍ଥାନୀୟ ଅଂଚଳବାସୀ ବିରୋଧ କରିଛନ୍ତି। ଏନେଇ ଆଜି କମାରପାଲୀ ଠାରେ ସାତୋଟି ପଞ୍ଚାୟତର ଶତାଧିକ ମହିଳା ପୁରୁଷ କମାରପାଲୀ ଠାରେ ନିଜର ପାରଂପାରିକ ଅସ୍ତ୍ରଶସ୍ତ୍ର ସହ ଏକତ୍ରୀତ ହୋଇଥିଲେ। ଜୀବନ ଯିବ ପଛେ ଇଞ୍ଚେ ମାଟି ଛିଡିବେ ନାହିଁ ବୋଲି ସ୍ଥାନୀୟ ଅଂଚଳର ଲୋକେ କହିଥିଲେ।

କମାରପାଲୀ ଠାରେ ଏକ ବିରାଟ ରାଲିରେ ଶତାଧିକ ଆଦିବାସୀ ବାହାରି ଛତିଶଗଡ଼ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କୌଣସି ପ୍ରକାରେ ଏହି କୋକରାଲ ଡ୍ୟାମକୁ କରାଇଦେବେ ନାହିଁ ବୋଲି ଯିଦରେ ଅଡି ବସିଥିଲେ। ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।ଛତିଶଗଡ଼ ସରକାର କୋକରାଲ ଡ୍ୟାମ ନିର୍ମାଣ ପାଇଁ କୌସ୍ତଭ ନାମକ ଏକ କମ୍ପାନିକୁ ଟେଣ୍ଡର ପ୍ରଦାନ କରିଥିବା ବେଳେ କମ୍ପାନି ଖୁବ ଶୀଘ୍ର କାମ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି।

Related Articles

Back to top button