
ଜୁଲାଇ ପହିଲାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଜୁଲାଇ ପହିଲାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ଜୁଲାଇ ୧ ତାରିଖ ଦିନ ୧୧ଟାରୁ ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅଭିଯୋଗ ଶୁଣାଣି ପାଇଁ ସେହିଦିନ ସକାଳ ୯ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ପଞ୍ଜୀକରଣ କରାଯିବ। ଆଗ୍ରହୀ ବ୍ୟକ୍ତିମାନେ ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ପଞ୍ଜୀକରଣ କରିପାରିବେ ଓ ପରେ ସେମାନଙ୍କ ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ। ଜିଲାପାଳମାନେ ମଧ୍ୟ ଜିଲାସ୍ତରରେ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରିବାକୁ କୁହାଯାଇଛି। ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦେଶ ଦିଆଯାଇଛି।