
ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ପାଇଁ ରବିବାର ସମୀକ୍ଷା ବୈଠକ ଅନୁଷ୍ଠିତ
ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ପାଇଁ ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଅତିଥି ଭବନରେ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ ଶେଷ ହେବ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ଘୋଷଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ ସମସ୍ତଙ୍କ ସହଯୋଗ କାମନା କରୁଛୁ। ଉଭୟ ଯାତ୍ରା ଓ ସମନ୍ୱୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଆଗକୁ ନୀତିକାନ୍ତି ନେଇ ସେବାୟତ ଓ ପରିଚାଳନା କମିଟି ସହିତ ବୈଠକ ହେବ। ଚାରିଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ ହେଉଥିବା ସମ୍ପର୍କରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ରଜ ଛୁଟି ଯୋଗୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହୋଇଥିଲା। ତେଣୁ ସମସ୍ୟା ହେଲା। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଆଗକୁ ଭିଡି ନିୟନ୍ତ୍ରଣ ସହିତ ଶ୍ରଦ୍ଧାଳୁମାନେ କିପରି ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ସମସ୍ତଙ୍କ ସହଯୋଗ ରହିଲେ ଦର୍ଶନ ବ୍ୟବସ୍ଥିତ ହେବ।