ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ୧୨୭ ପ୍ରକଳ୍ପ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ। ବର୍ଷକ ଭିତରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ୩ଟି ସ୍ଥାନରେ ସଭା କରି ଏଭଳି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ସତୀଭଟା ଏୟାରଷ୍ଟ୍ରିପ୍‌ରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ଝାରବନ୍ଧ ଯାଇଥିଲେ। ସେଠାରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଥିଲେ, ଗତ ପଦ୍ମପୁର ଉପନିର୍ବାଚନ ସମୟରେ ସେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପାଳନ କରିବା ସହିତ ଏହି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଧନ୍ୟବାଦ ଦେବା ପାଇଁ ଆସିଛନ୍ତି। ଏହି ସଭାରେ ମୁଖ୍ୟମନ୍ତ୍ରୀ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ, ଗତ ଉପନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ବରଗଡ଼-ନୂଆପଡା ରେଲଓ୍ବେ ଲାଇନ, କେନ୍ଦୁପତ୍ରରୁ ଜିଏସ୍‌ଟି ଛାଡ ଆଦି ନାନା ପ୍ରତିଶ୍ରୁତି ଦେଇଥିଲେ। ପ୍ରଭୁ ନୃସିଂହନାଥ ସେମାନଙ୍କୁ ଏସବୁ ମନେ ପକାଇ ଦିଅନ୍ତୁ ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଝାରବନ୍ଧ ବ୍ଲକର ମିଶନ ଶକ୍ତି ମହିଳାଙ୍କୁ ଚେକ ପ୍ରଦାନ କରିବା ସହ ୯୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୩୩୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଏବଂ ୮ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ୧୧ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ପାଇକମାଲ ଏମ୍‌ଇ ସ୍କୁଲ ପଡିଆ ହେଲିପ୍ୟାଡରେ ମଧ୍ୟାହ୍ନ ୧୨ଟା ୪୫ରେ ପହଞ୍ଚି ଜନସଭାରେ ଯୋଗ ଦେଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ କହିଥିଲେ, ସେ କଥାରେ ନୁହଁ କାମରେ ବିଶ୍ୱାସ କରନ୍ତି। ପାଇକମାଳ ପିଏଚ୍‌ସିକୁ ସିଏଚ୍‌ସି କରାଯାଇଛି। ସେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ୨ମାସ ଭିତରେ ପଦ୍ମପୁର ଅଞ୍ଚଳ ଗସ୍ତ କରିଛନ୍ତି ବୋଲି କହିଥିଲେ।

ପାଇକମାଳ ସଭାରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି କହିବା ପରେ ସଭାସ୍ଥଳ ତାଳିରେ ପ୍ରକମ୍ପିତ ହୋଇଥିଲା। ପରେ ସେ ମିଶନ ଶକ୍ତି ଗ୍ରୁପ୍‌ଙ୍କୁ ଚେକ୍‌ ପ୍ରଦାନ ସହିତ ୨୯ କୋଟି ୩୩ ଲକ୍ଷ ଟଙ୍କାର ୬୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ଏବଂ ୭ କୋଟି ୯୪ ଲକ୍ଷ ଟଙ୍କାର ୨୦ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ଏହାପରେ ସେଠାରୁ ମୁଖ୍ୟମନ୍ତ୍ରୀ ସିଧା ପଦ୍ମପୁର ଯାଇ ପୂର୍ତ୍ତ ବଙ୍ଗଳାରେ କିଛି ସମୟ ବିଶ୍ରାମ ନେଇଥିଲେ। ଅପରାହ୍ନ ୩ଟା ୪୫ରେ ପଦ୍ମପୁର ହାଇସ୍କୁଲ ପଡିଆରେ ଆୟୋଜିତ ସଭାରେ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପଦ୍ମପୁରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦେବା ପାଇଁ ପୁଣି ଘୋଷଣା କରିଥିଲେ। ଜିଲା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ଷକ ଭିତରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ସେ କହିଥିଲେ। ଆଗାମୀ ଦିନରେ ପଦ୍ମପୁର ଅଞ୍ଚଳର ବିକାଶ ହେବା ସହିତ ଆହୁରି ଅନେକ ପ୍ରକଳ୍ପ ହେବ ଏବଂ ସବୁ କାମ ସମୟ ଭିତରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଚେକ୍‌ ପ୍ରଦାନ କରିଥିଲେ। ପରେ ସେ ୩୧ କୋଟି ଟଙ୍କା ବ୍ୟୟରେ ୭୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ଦେବା ସହିତ ୪ କୋଟି ୪୯ ଲକ୍ଷ ଟଙ୍କାର ୯୬ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ସଭା ପରେ ମୁଖ୍ୟମନ୍ତ୍ରୀ ଅପରାହ୍ନ ସାଢେ ୪ରେ ସତୀଭଟା ବିମାନ ଅବତରଣ କେନ୍ଦ୍ରକୁ ଯାଇ ସେଠାରୁ ଭୁବନେଶ୍ୱର ଫେରିଯାଇଥିଲେ।

Related Articles

Back to top button