ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ: ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତିର କଲେ ସମୀକ୍ଷା

ଭୁବନେଶ୍ୱର:ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ସଚିବସ୍ତରୀୟ ଟିମରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସଚିବ ଶ୍ରୀଯୁକ୍ତ ଆର୍ ଭିନିଲକ୍ରୀଷ୍ଣା ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୁପେନ୍ଦ୍ର ସିଂ ପୁନିଆ ରାଉରକେଲା ଆସିଥିଲେ ।

ଏହି ସଚିବସ୍ତରୀୟ ଟିମ୍ ରାଉରକେଲାରେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଏହାସହ ରାଉରକେଲା ବିମାନ ବନ୍ଦରର ଚାଲିଥିବା ସଂପ୍ରସାରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଥିଲେ । ନଭେମ୍ବର ୩୦ ତାରିଖ ସୁଦ୍ଧା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦରର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅଭ୍ୟାସ ପଡ଼ିଆ ସହିତ ମୁଖ୍ୟ ଷ୍ଟାଡିୟମରେ ଟର୍ଫ ପଡ଼ି ଯାଇଛି । ଦର୍ଶକ ଗ୍ୟାଲେରି ସହିତ ଖେଳାଳି ଏବଂ ଅଫିସିଆଲମାନଙ୍କ ପାଇଁ କରାଯାଉଥିବା ରହଣୀସ୍ଥଳର କାମ ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଷ୍ଟାଡିୟମ କାମ ଶେଷ ହେବା ପରେ ସେଠାରେ ଅଭ୍ୟାସ ମ୍ୟାଚ ଆୟୋଜନ କରାଯିବ ।

Related Articles

Back to top button