ରାଉରକେଲାରେ ନିୟନ୍ତ୍ରଣରେ ରହିଛି ହଇଜା : ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ରାଉରକେଲାରେ ବ୍ୟାପିଛି ହଇଜା । ଏହାକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଝାଡ଼ାବନ୍ତିରେ ରାଉରକେଲାରେ 13 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏଥି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ହଇଜା ସ୍ଥିତି ନିୟନ୍ତ୍ରଣାଧିନ ଥିବା ସେ କହିଛନ୍ତି । ଆଉ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବୃଦ୍ଧି ହେଉନି । ଏହା ସହ ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମିଛି ବୋଲି କହିଛନ୍ତି ଶ୍ରୀ ମିଶ୍ର ।

ଏହା ସହ ଅର୍ବାନ୍ ପିଏଚସି 24 ଘଣ୍ଟା ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ହସ୍ପିଟାଲ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ଜଳ ପରୀକ୍ଷା କରାଯାଉଛି । କ୍ଲୋରିନ୍ ଲେବଲ୍ ଠିକ୍ ରଖିବାକୁ ଚେଷ୍ଟା କରାଯାଉଥିବା ନେଇ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏହା ପୂର୍ବରୁ ବୁଧବାର ସ୍ୱାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯାଇ ସମୀକ୍ଷା କରିଥିବା ବେଳେ କଟକ ଏସ୍‌ସିବିର 4 ଜଣ ଡାକ୍ତର ପହଞ୍ଚିଛନ୍ତି । ଗୁରୁବାର ଆଉ ଜଣେ ଡ଼ାକ୍ତର ଏସ୍‌ସିବିରୁ ଆସି ରାଉରକେଲାରେ ପହଞ୍ଚିଛନ୍ତି । ଏମାନଙ୍କ ସହ ଜଣେ ଟେକ୍ନିସିଆନ ମଧ୍ୟ ଆସି ପହଞ୍ଚିଛନ୍ତି ।ମୋଟ୍ 5ଜଣ ଡ଼ାକ୍ତରଙ୍କ ସହ ଜଣେ ଟେକ୍ନିସିଆନ ରାଉରକେଲାରେ ପହଞ୍ଚିଛନ୍ତି । ସେହିପରି ଏସ୍‌ସିବି ଟିମ୍ ସହ ଭୁବନେଶ୍ୱର ଆରଏମ୍‌ଆରସିର ଦୁଇ ବୈଜ୍ଞାନିକ ମଧ୍ୟ ପହଞ୍ଚିଛନ୍ତି । ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ନିର୍ଦ୍ଦେଶକ, ଅଧିକାରୀ, ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା ଚାଲିଛି

ଏସ୍‌ସିବି ଡ଼ାକ୍ତରୀ ଟିମ୍ ମଧ୍ୟରେ ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ତୁଷାରିକାନ୍ତି ବେହେରା, କମ୍ୟୁନିଟିର ଆସିଷ୍ଟାଣ୍ଟ ପ୍ରଫେସର ମଦନ ମୋହନ ମାଝି, ମାଇକ୍ରୋବାୟୋଲୋଜି ଆସିଷ୍ଟାଣ୍ଟ ପ୍ରଫେସର ସସ୍ମିତା ଖଟୁଆ, ପେଡିଆଟ୍ରିକ୍ସ ଆସିଷ୍ଟାଣ୍ଟ ପ୍ରଫେସର ଭଗବତ ସ୍ୱାଇଁ ଅଛନ୍ତି । ସେହିପରି ଭୁବନେଶ୍ଵର RMRCର ଦୁଇ ବୈଜ୍ଞାନିକ ହେଲେ ଡ଼ାକ୍ତର ଜୟ ସିଂ ଓ ଡ଼ାକ୍ତର ଆରା । ଏହି ଟିମ୍ ହଇଜାର ପ୍ରକୃତ କାରଣ ଖୋଜିବା ସହ ନିରାକରଣ ପାଇଁ କାମ କରିବେ ।

Related Articles

Back to top button