
ଏପ୍ରିଲ ୧୦ରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହେବ
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇର ସମସ୍ତ ପରୀକ୍ଷା ଏପ୍ରିଲ ୫ ତାରିଖରେ ଶେଷ ହେବା ପରେ ଏପ୍ରିଲ ୧୦ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବ। ଚଳିତ ବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ଟି ଜୋନ୍ ହୋଇଥିବାବେଳେ ୩୯ଟି ଅନଲାଇନ୍ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖା ହେବ। ଯେଉଁଥିରେ ପ୍ରାୟ ୧୫ ହଜାର ମୂଲ୍ୟାଙ୍କନକାରୀ ନିୟୋଜିତ ହେବେ ବୋଲି ଜଣାପଡ଼ିଛି। ଉଭୟ ଅନଲାଇନ ଓ ଅଫଲାଇନରେ ମୂଲ୍ୟାଙ୍କନ କରାଯିବ। ଅଫଲାଇନରେ ମୂଲ୍ୟାଙ୍କନ ଏପ୍ରିଲ ୨୨ ଏବଂ ଅନଲାଇନ୍ ଖାତା ଦେଖା ଏପ୍ରିଲ ୨୩ରେ ଶେଷ ହେବ।
ସୂଚନା ମୁତାବକ, ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅଫଲାଇନ୍ କେନ୍ଦ୍ରଗୁଡ଼ିକରେ ଖାତା ଦେଖା ହେବ। ଅଫଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ୨ଥର ସିନିୟର ଅବଜରଭର ଏବଂ ଥରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ। ମାତ୍ର ଅନଲାଇନ୍ ଖାତା ଦେଖା ପାଇଁ ୨ଟି ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ ୮ଟାରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଯେପରି ମୂଲ୍ୟାଙ୍କନରେ କୌଣସି ପ୍ରକାରର ତ୍ରୁଟି ଏଡ଼ାଇବା ପାଇଁ ତ୍ରିସ୍ତରୀୟ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ହୋଇଛି। ଅନଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ସ୍କାନିଂ କରାଯିବା ପରେ ୨ୟ ଥର ପାଇଁ ମୂଲ୍ୟାଙ୍କନ କରାଯିବ।
ଏଥିସହ ମୂଲ୍ୟାଙ୍କନ କେନ୍ଦ୍ରକୁ ମୋବାଇଲ ନେବାକୁ ମୂଲ୍ୟାଙ୍କନକାରୀଙ୍କୁ ବାରଣ କରାଯାଇଥିବାବେଳେ ଧାର୍ଯ୍ୟ ସମୟ ମଧ୍ୟରେ ନପହଞ୍ଚିଲେ ଜାରି କରାଯିବ କାରଣ ଦର୍ଶାଅ ସମନ୍ । ଯେଉଁ ଅଧ୍ୟାପକ କିମ୍ବା ଅଧ୍ୟାପିକା ତଥା ପରୀକ୍ଷାକେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପିଲାମାନେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ମୂଲ୍ୟାଙ୍କନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବାବେଳେସମସ୍ତ ମୂଲ୍ୟାଙ୍କନ ଜୋନ୍ ସିସିଟିଭି କ୍ୟାମେରା ନଜରରେ ରହିବ ବୋଲି ଜଣାପଡ଼ିଛି।
ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଫଲାଇନ୍ ଖାତା ଦେଖା ଏପ୍ରିଲ ୨୩ରୁ ଆରମ୍ଭ ହୋଇ ମେ’ ୪ ତାରିଖ ଏବଂ ଅନଲାଇନ୍ ଖାତା ଦେଖା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ୨ଟି ପର୍ଯ୍ୟାୟରେ ଖାତା ଦେଖା ଶେଷ ହେବା ପରେ ମେ ମାସ ଶେଷ ଓ ଜୁନ ମାସ ଆରମ୍ଭରୁ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି।