ରାୟଗଡ଼ାରେ ଋଷ ନାଗରିକ ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲା ସିଆଇବି ଟିମ୍

ରାୟଗଡ଼ା: ରାୟଗଡ଼ାରେ ଋଷ ନାଗରିକ ବ୍ଲାଡିମିର୍ ବିଦାନୋଭା ଓ ସାଂସଦ ପାୱେଲ୍ ଆନ୍ଥେଭ ମୃତ୍ୟୁ ଘଟଣାର ଛାନଭିନ୍ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିଆଇବି)। ସିଆଇବି ଡିଏସପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଆଜି ହୋଟେଲରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିଛନ୍ତି। ଏଥି ସହିତ ହୋଟେଲରେ ମହଜୁଦ୍ ଥିବ ରେକର୍ଡପତ୍ର ଟିମ୍ ସଂଗ୍ରହ କରିବା ସହ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ପଚରା ଉଚରା କରିଛି।

ବ୍ଲାଡିମିର୍ ଓ ଆନ୍ଥେଭ ରହୁଥିବା ରୁମକୁ ସିଆଇବି ଟିମ୍ ଅନୁଧ୍ୟାନ କରିଛନ୍ତି। କିପରି ଓ କେଉଁ ପରିସ୍ଥିତିରେ ଦୁଇ ଜଣଙ୍କ ମୃତ୍ୟୁ ହେଲା ତାକୁ ନେଇ ସବିଶେଷ ତଥ୍ୟ ସଂଗ୍ରହ କରୁଛି ସିଆଇବି। ଉଭୟଙ୍କ ମୃତ୍ୟୁ ସନ୍ଦେହଜନକ ଭାବେ ଘଟିଥିବାରୁ ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରିଛି ସିଆଇବି। ଆନ୍ଥେଭ ଛାତରୁ ଖସି ପଡିଥିବା ସ୍ଥାନକୁ ସିଆଇବି ଟିମ୍ ଯାଇଥିଲେ। ଆନ୍ଥେଭ ମୃତ ଅବସ୍ଥାରେ ପଡିଥିବା ଦେଖିଥିବା କର୍ମଚାରୀ ଏବଂ ମୃତଦେହ ଜବତ ସମୟରେ ଉପସ୍ଥିତ ଥିବା କର୍ମଚାରୀଙ୍କ ନିକଟରୁ ବୟାନ୍ ସଂଗ୍ରହ କରିଛି ତଦନ୍ତକାରୀ ଟିମ୍। ହୋଟେଲରେ ଛାନଭିନ୍ ପରେ ଟିମ୍ ରାୟଗଡ଼ା ଥାନାରେ ପହଞ୍ଚି ପୁଲିସ୍ ସହ ଆଲୋଚନା କରିଛନ୍ତି।

ପୁଲିସ୍ ନିକଟରୁ ଅପମୃତ୍ୟୁ ରୁଜୁ ହୋଇଥିବା ମାମଲା ସଂପର୍କିତ କାଗଜପତ୍ର, ଋଷ ରାଷ୍ଟ୍ରଦୂତଙ୍କ ନିକଟରୁ ଆସିଥିବା ସମ୍ମତିପତ୍ର, ଶବ ସତ୍କାର ପାଇଁ ସଂପର୍କୀୟ ଦେଇଥିବା ଇ-ମେଲ୍ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ସିଆଇବି ଟିମ୍। ମାମଲାରେ ସିଆଇବି ହସ୍ତକ୍ଷେପ କରିବା ପରେ କେନ୍ଦ୍ର ସରକାର ଋଷ ନାଗରିକଙ୍କ ମୃତ୍ୟୁକୁ ଗୁରୁତର ସହ ନେଇଥିବା ଅନୁମାନ କରାଯାଉଛି। ପ୍ରଥମ ଥର ପାଇଁ ଭାରତ ପରିଭ୍ରମଣରେ ଆସିଥିବା ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏପରି ଘଟିଥିବାରୁ ଭାରତ ସରକାର ମଧ୍ୟ ମୃତ୍ୟୁ ପଛର ପ୍ରକୃତ ରହସ୍ୟକୁ ଉନ୍ମୋଚନ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ସିଆଇବିର ଛାନଭିନ୍ ପୂର୍ବରୁ ଓଡ଼ିଶା ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି।

କ୍ରାଇମବ୍ରାଞ୍ଚ ଟିମ୍ ଦୁଇଟି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ରାୟଗଡ଼ା ଥାନାରୁ ମାମଲା ସଂପର୍କିତ ସମସ୍ତ କାଗଜପତ୍ର ସଂଗ୍ରହ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଦାନୋଭା ଓ ଆନ୍ଥେଭଙ୍କ ସହ ଆସିଥିବା ଋଷ ଦମ୍ପତି, ଟୁରିଷ୍ଟ୍ ଗାଇଡ୍ ଜିତେନ୍ଦ୍ର ସିଂ ଓ କାର୍ ଡ୍ରାଇଭରକୁ ତଦନ୍ତ ପରିସରଭୁକ୍ତ କରିଛି। ସମସ୍ତଙ୍କୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଭୁବନେଶ୍ବରରେ ପଚରା ଉଚରା କରୁଛି। ଖୁବ୍ ଶୀଘ୍ର କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ା ଆସି ହୋଟେଲ୍ ରୁମ୍, ଆନ୍ଥେଭ ମୃତ ଅବସ୍ଥାରେ ପଡିଥିବା ଛାତ, ଶବ ବ୍ୟବଚ୍ଛେଦ ସମୟରେ ଭିଡ଼ିଓ ଫୁଟେଜ୍ ଦେଖିବା ସହ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍, ଶବ ସତ୍କାର ‌ହୋଇଥିବା ଶ୍ମଶାନ୍ ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିବ।

Related Articles

Back to top button