ଭିଜିଲାନ୍ସ ଜାଲରେ ବାଂଶପାଳ ବିଇଓ ଅଫିସ୍‌ର କନିଷ୍ଠ କିରାଣି

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ବାଂଶପାଳ ବିଇଓ ଅଫିସ୍‌ର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ବୁଧବାର ସକାଳେ କେନ୍ଦୁଝର ଜେଲରୋଡ୍‌ସ୍ଥିତ ସରକାରୀ ବାସଭବନ, ଭାଲୁକିପତଳାସ୍ଥିତ ୩ ମହଲା ଘର, ତେଲକୋଇ ବ୍ଲକ ତାଳପଦାସ୍ଥିତ ପୈତୃକ ଘର ଓ ଶ୍ୱଶୁର ଘର ସରାସପଶିରେ, ବାଂଶପାଳ ବିଇଓ କାର୍ଯ୍ୟାଳୟ ସମେତ ଏକକାଳୀନ ଚଢ଼ାଉ କରି ଯାଞ୍ଚ କରାଯାଇଥିଲା। ଏହି ଚଢ଼ାଉରେ ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ଏସ୍‌ପି ନରହରି ନାୟକଙ୍କ ନେତୃତ୍ୱରେ ଡିଏସ୍‌ପି ହରେକୃଷ୍ଣ ମାଝି, ଦକ୍ଷିଣୀ ଚରଣ ମୁର୍ମୁ, ସିକନ୍ଦର ହେମ୍ବ୍ରମଙ୍କ ସମେତ ୭ ଇନ୍ସପେକ୍ଟର,୨ ଏଏସ୍‌ଆଇ ଓ ୯ କନ୍‌ଷ୍ଟେବଳ ସାମିଲ ହୋଇଥିଲେ। ଯାଞ୍ଚ ବେଳେ ପାଖାପାଖି ୮୫ ଲକ୍ଷ ଟଙ୍କା ମୂଲ୍ୟର ଭାଲୁକିପତଳା ୩ ନମ୍ବର ଲେନ୍‌ରେ ଥିବା ୩ ମହଲା ଘର ଥିବା ଜଣାପଡ଼ିଛି। ସେହିପରି ଭାଲୁକିପତଳା ମୌଜାରେ ଏକ ପ୍ଲଟ ଥିବା ଜଣାପଡ଼ିଛି। ସେହିପରି ବିଭିନ୍ନ ବ୍ୟାଙ୍କରେ ଫିକ୍ସ ଜମା ଏବଂ ବୀମା ଜମା ବାବଦକୁ ୧୨ ଲକ୍ଷ ୭୫ ହଜାର ଟଙ୍କାର କାଗଜପତ୍ର ମିଳିଛି। ଯାହାକୁ ଭିଜିଲାନ୍ସ ବିଭାଗ ଅଧିକ ଯାଞ୍ଚ କରୁଛି। ସେହିପରି ଶଳା ନାମରେ ଥିବା ୯ ଲକ୍ଷ ଟଙ୍କା ମୂଲ୍ୟର ଏକ କାର୍‌ ଏବଂ ୨ ଲକ୍ଷ ଟଙ୍କାର ଆସବାବପତ୍ର ମିଳିଛି। ତାଙ୍କ ନାମରେ ବାରମ୍ବାର ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗ ୨୦୨୧ ମସିହାରୁ ତଥ୍ୟ ସଂଗ୍ରହ କରି ଆସୁଥିଲା। ଗତ ୧୦ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ ପାଇଁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରୁ ଓ୍ବାରେଣ୍ଟ ଆଣି ଆଜି ଏହି ଚଢ଼ାଉ କରାଯାଇଥିବା ଏସ୍‌ପି ନରହରି ନାୟକ କହିଛନ୍ତି। ତେବେ ସବିଶେଷ ହିସାବ କରିବା ପରେ ଆୟ ବହିର୍ଭୂତ ସମ୍ପତ୍ତି କେତେ ରହିଛି ଜଣାପଡ଼ିବ ବୋଲି ସେ କହିଛନ୍ତି।

Related Articles

Back to top button