ରାଜ୍ୟରେ ଆଉ ୪୪୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିଛି। ଆମ ପାଇଁ ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଛି। ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି। ତା ଭିତରେ ସବୁଠାରୁ ଭଲ କଥା ହେଉଛି, ଆମ ଝିଅ ମାନଙ୍କ ପାଇଁ ସ୍ବଚ୍ଛ, ସୁନ୍ଦର ଓ ସ୍ବତନ୍ତ୍ର ଟଏଲେଟର ବ୍ୟବସ୍ଥା। ଏହା ଆମର ସ୍କୁଲ ପରିବେଶକୁ ଆମ ପାଇଁ ବହୁତ ସହଜ କରିଛି। ଝିଅ ପିଲାଙ୍କ ପାଇଁ ଏହା ଥିଲା ଅତି ଜରୁରୀ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଧନ୍ୟବାଦ ଦେଉଛୁ। ଆଜି ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ତୃତୀୟ ଦିନରେ ବାଲେଶ୍ବରର ଗୋପାଳି ପ୍ରିୟଦର୍ଶିନୀ ଜେନା, ନୟାଗଡ ସାୟଂଶ୍ରୀ ଦାଶ, ନୂଆପଡାର ନନ୍ଦିନୀ ରାଉତ, ସୁନ୍ଦରଗଡର ଦିବ୍ୟକାନ୍ତି ଓରାମ ପ୍ରମୁଖ ଛାତ୍ରୀମାନେ ସେମାନଙ୍କ ପାଇଁ ହୋଇଥିବା ସ୍ବତନ୍ତ୍ର ଟଏଲେଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହାସହିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିବାରୁ, ସେମାନଙ୍କ ସାକାର ହେବା ଆହୁରି ସହଜ ହୋଇଛି ବୋଲି ସେମାନେ କହିଥିଲେ। ସେମାନେ ସମସ୍ତେ ବଡ ହେଲେ ଡାକ୍ତର, ଶିକ୍ଷକ ଓ ଆଇଏଏସ୍‌ ଅଫିସର ଆଦି ହେବାପାଇଁ ସ୍ବପ୍ନ ଦେଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇଥିଲେ।

ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଆଜି ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ବାଲେଶ୍ବର ଜିଲ୍ଲାର ୨୩୩ଟି ହାଇସ୍କୁଲ, ନୟାଗଡ ଜିଲ୍ଲାର ୬୪ଟି, ନୂଆପଡା ଜିଲ୍ଲାର ୫୮ଟି, ସୁନ୍ଦରଗଡ ଜିଲ୍ଲାର ୪୯ଟି ହାଇସ୍କୁଲ ଏବଂ ରାୟଗଡା ଜିଲ୍ଲାର ୪୫ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ତିନି ଦିନରେ ସମୁଦାୟ ୧୧୩୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ, ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ଜୀବନର ସବୁ କ୍ଷେତ୍ରକୁ ଟେକ୍‌ନୋଲୋଜି ପ୍ରଭାବିତ କରୁଛି। ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଏହାଦ୍ବାରା ସେମାନେ ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଆଗରେ ରହିପାରିବେ।

ସେହିପରି ସମୟ ଉପରେ ଗୁରୁତ୍ବ ଦେବକୁ ପରାମର୍ଶ ଦେଇ ସେ କହିଲେ ଯେ ସମୟର ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ନିଜ ନିଜ ଜୀବନରେ ୫-ଟିର ଉପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ । ଦ୍ବିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ ।

ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା  ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ବଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍‌ସଫରମେସନ ବା ରୂପାନ୍ତର ଆସିଥାଏ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍‌ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି । ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍‌ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍‌ ସମୟରେ ଶେଷ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ବା ଟ୍ରାନ୍‌ସପରେନ୍‌ସି ରକ୍ଷା କରାଯାଇଛି।

ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଦ୍ବାରା ଆସିଛି ରୂପାନ୍ତର । ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ ।

କାର୍ଯ୍ୟକ୍ରମରେ ଉପସ୍ଥିତ ବାଲେଶ୍ବର ଜିଲ୍ଲାରେ ସୋର ବିଧାୟକ ପର୍ଶୁରାମ ଧଡା, ନୟାଗଡରେ ବିଧାୟକ ଡଃ ଅରୁଣ କୁମାର ସାହୁ, ନୂଆପଡାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସୁନ୍ଦରଗଡରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ରାୟଗଡାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ଏ ରୂପାନ୍ତର ସାରା ଭାରତବର୍ଷରେ ଗୁଞ୍ଜରଣ ସୃଷ୍ଟି କରିଛି। ଶିକ୍ଷା କ୍ଷେତ୍ରରେ ଏ ବୈପ୍ଲବିକ ପରିବର୍ତ୍ତନ ସାରା ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିଛି ।

ବିଧାୟକ ଡଃ ଅରୁଣ ସାହୁ କହିଲେ ଯେ ସ୍କୁଲ ରୂପାନ୍ତର ଯୋଗୁ ଆଜି ସରକାରୀ ସ୍କୁଲର ମର୍ଯ୍ୟାଦା ବୃଦ୍ଧି ପାଇଛି। ବେସରକାରୀ ସ୍କୁଲରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଆଜି ସରକାରୀ ସ୍କୁଲକୁ ଫେରାଇ ଆଣୁଛନ୍ତି। କେବଳ ନୟାଗଡ ଜିଲ୍ଲାରେ ୭୦୦ ପିଲା ବେସରକାରୀ ସ୍କଲରୁ ସରକାରୀ ସ୍କୁଲକୁ ଆସିଛନ୍ତି ବୋଲି ସେ କହିଥିଲେ । ସ୍କୁଲ ରୂପାନ୍ତର ଆଗାମୀ ପିଢିର ଭବିଷ୍ୟତକୁ ଉଜ୍ଜଳ ଓ ସୁଦୃଢ କରିଛି ବୋଲି ସେ ମତ ଦେଇଥିଲେ ।

କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ସବୁ ଜିଲ୍ଲା ଗୁଡିକରେ ଆଉ ଯେତେ ସରକାରୀ ହାଇସ୍କୁଲ ରହିଛି, ସେ ସବୁ ଚତୁର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ହେବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସରକାରୀ ସ୍କୁଲକୁ ରୂପାନ୍ତରିତ କରାଯିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button