କୋରାପୁଟରେ ୧୬୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ: ବିକ୍ରମଦେବ କଲେଜରେ ହେବ ଅତ୍ୟାଧୁନିକ ଅଡିଟୋରିୟମ
କୋରାପୁଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଏ ଘୋଷଣା ସଂପର୍କରେ ଉଲ୍ଲେଖକରି କହିଥିଲେ ‘ଆପଣମାନେ ଖୁସି ତ?’ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିପୁଳ ଉତ୍ସାହ, ଆନନ୍ଦ, ଉଲ୍ଲାସ ଓ କରତାଳି ମଧ୍ୟରେ ସ୍ବାଗତ କରିଥିଲେ । ଏହି ଘୋଷଣା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଏ ସଂପର୍କରେ ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ଏହି ଅଡିଟୋରିଅମ ୧୦୦୦ ଆସନ ବିଶିଷ୍ଟ ହେବ ଏବଂ ଏଥିପାଇଁ ୮ କୋଟି ଟଙ୍କା ବିନିଯୋଗ କରାଯିବ।
ସେହିପରି କୋରାପୁଟ ଜିଲା ପାଇଁ ୧୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏଥିରେ ୨୦୭.୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୧୩୭୮.୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷା ଆମ ଭିତରେ ଥିବା ସମ୍ଭାବନାକୁ ବୃଦ୍ଧି କରିଥାଏ। ଭଲ ପାଠ ପଢି ସମାଜ ସହିତ ଯୋଡି ହେବାକୁ ଛାତ୍ରୀଛାତ୍ରଙ୍କୁ ମୁଖ୍ରମନ୍ତ୍ରୀ କହିଛନ୍ତି। ପରିବାର ଓ ଓଡିଶାର ସ୍ବପ୍ନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଅଞ୍ଚଳର ବିକାଶ ନେଇ ସେତୁ, ସଡକ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତ୍କରଣ ଓ ପର୍ଯ୍ୟଟନ ଆଦି ପ୍ରକଳ୍ପ କାମ କରାଯାଇଛି। ଏଥିସହ ୧୨୩୫ ମିଶନ ଶକ୍ତି ଗୋଷ୍ଠୀକୁ ୫୦ କୋଟି ଟଙ୍କାର ବିନା ସୁଧରେ ଋଣ ପ୍ରଦାନ କରାଯାଇଛି। ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ମାନେ ଭଲ କାମ କରି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ସ୍ବାଧୀନତାର ୭୫ ବର୍ଷ ଅବସରରେ ଜାତୀୟ ପତାକା ପ୍ରସ୍ତୁତ କରି ମା’ମାନେ ନିଜର ଦକ୍ଷତା ଦେଖାଇବା ସହ ବିଶ୍ବାସକୁ ଆହୁରି ମଜବୁତ କରିଛନ୍ତି । ମା’ ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣ ଦିଆଯିବ। ଏପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।