ଶନିବାର ଗୋଟିଏ ମଞ୍ଚରେ ଏକାଠି ହେବେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ

ଭୁବନେଶ୍ୱର: ଗୋଟିଏ ମଞ୍ଚରେ ଏକାଠି ହେବେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ। ଶନିବାର ଗୋଟିଏ ମଞ୍ଚରେ ଏହିସବୁ ପ୍ରମୁଖ ନେତା ଏକାଠି ହୋଇ ବୈଠକ କରିବେ। ଯାହାକୁ ନେଇ ଏବେଠୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। କାରଣ ବୈଠକରେ ଯୋଗଦେବାକୁ ଥିବା ନେତାମାନଙ୍କ ମଧ୍ୟରୁ ଅମିତ ଶାହ ବିଜେପିର ନେତା ତଥା ଗୃହମନ୍ତ୍ରୀ ରହିଥିବା ବେଳେ ଅନ୍ୟମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସହିତ ଆଞ୍ଚଳିକ ଦଳର ନେତା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ବ ଜୋନ୍ ପରିଷଦ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୧୭ ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ପଞ୍ଚାୟତ ରାଜମନ୍ତ୍ରୀ ପ୍ରଦୀପ ଅମାତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ନବୀନ ପଟ୍ଟନାୟକଙ୍କ ବ୍ୟତୀତ ବିହାର, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଯୋଗଦେବେ ଯେଉଁଥିରେ ଆଭ୍ୟନ୍ତରୀଣ ସୁରକ୍ଷା, ବାହ୍ୟରୁ ସମ୍ଭାବ୍ୟ ଆକ୍ରମଣ ତଥା ନିଷେଧ ସାମଗ୍ରୀ ଚୋରା ଚାଲାଣ ଭଳି ଆଲୋଚନା ହେବ।

ପୂର୍ବ ସୁରକ୍ଷା ପରିଷଦରେ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡିଶା ଏବଂ ସିକ୍କିମକୁ ନେଇ ଗଠିତ। ଗୃହମନ୍ତ୍ରୀ ଅମିତ ଶାହା ଏହି ପାଞ୍ଚଟି ରାଜ୍ୟ ସହିତ ଏକ ବୈଠକ କରିବେ। ସୂଚନାନୁସାରେ, ଏହି ବୈଠକ ନବାନ୍ନ ବୈଠକ ହଲରେ ଅନୁଷ୍ଠିତ ହେବାକୁ ଯାଉଛି। ପଶ୍ଚିମବଙ୍ଗ ସରକାର ଏହି ହଲ୍ ସ୍ଥିର କରିଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ପୂର୍ବ ସୁରକ୍ଷା ପରିଷଦରେ ଅମିତ ଶାହ ଅଧ୍ୟକ୍ଷ ରହିଥିବା ବେଳେ ମମତା ବାନାର୍ଜୀ ଉପାଧ୍ୟକ୍ଷ ରହିଛନ୍ତି।

ଆନ୍ତଃରାଜ୍ୟ ସୀମା ବ୍ୟତୀତ ଏହି ପରିଷଦ ବୈଠକରେ ଆଭ୍ୟନ୍ତରୀଣ ସୀମାର ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହେବ। ୨୦୧୮ ପୂର୍ବାଞ୍ଚଳ ସୁରକ୍ଷା ପରିଷଦ ବୈଠକ ନବାନ୍ନରେ ଅନୁଷ୍ଠିତ ହୋଇଥିଲା। ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂ ସେତେବେଳେ ଉପସ୍ଥିତ ଥିଲେ।

ଚଳିତ ବର୍ଷ ଆରମ୍ଭରେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ପୂର୍ବ ଜୋନାଲ ପରିଷଦର ଷ୍ଟାଣ୍ଡିଂ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ବ୍ୟତୀତ ଓଡିଶା, ଝାଡଖଣ୍ଡ, ବିହାରର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ୨୦୨୦ ରେ ଓଡିଶା ସଚିବାଳୟରେ ଶାହାଙ୍କ ଅଧ୍ୟକ୍ଷତାରେ ପୂର୍ବ ଜୋନ୍ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପରୋକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ।

Related Articles

Back to top button