ରାଜ୍ୟରେ ଶୀତ ବୃଦ୍ଧି ପାଇବ, ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ୍‍ ଯାଏ ହ୍ରାସ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ୍‍ ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି । ଏହାସହ ଶୀତ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିଭଳି ଆସନ୍ତାକାଲି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କଟକ ଓ ବରଗଡ଼ ଜିଲ୍ଲାର କେତେକ ଅଞ୍ଚଳରେ ଘନକୁହୁଡି ଦୃଶ୍ୟମାନ ହେବାନେଇ ସୂଚନା ମିଳିଛି ।

ତେବେ ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବାହ କରୁଥିବାରୁ ଗତ କିଛି ଦିନ ହେବ ଉଭୟ ସମତଳ ଓ ପାହାଡିଆ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକଠାରୁ ବୃଦ୍ଧି ପାଉଥିଲା। ଶୀତ ପ୍ରକୋପ କମିବା ଦ୍ବାରା ପୌଷ ମାସରେ ଲୋକେ ଗରମ ଅନୁଭୂତ କରୁଥିଲେ। ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବା ସହ ଶୀତ ପ୍ରକୋପ ବଢିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଦୁଇଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟକୁ ଉତ୍ତରା ପବନ ପ୍ରବାହ କରିବା ଦ୍ବାରା ରାତି ତାପମାତ୍ରା କମିବ। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଅନୁଗୋଳ ଓ କୋରାପୁଟରେ ୧୨ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ରାଜ୍ୟକୁ ଉତ୍ତର ପବନ ଆସିପାରୁ ନାହିଁ, ଏଣୁ ରାତି ତାପମାତ୍ରା ବଢୁଛି।

Related Articles

Back to top button