ଜାନୁଆରୀ ୧୪ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର: ରାଜ୍ୟରେ ଗତ କିଛିଦିନ ଧରି ଶୀତର ପ୍ରକୋପ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବି ଶୀତ ସାଙ୍ଗକୁ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ସକାଳ ସମୟରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଟ୍ୱିନ୍ସିଟିରେ ଗମନାଗମନକୁ ପ୍ରଭାବିତ କରିଥିବା ସ୍ପଷ୍ଟ ବାରି ହେଉଛି । ଉଭୟ ସହରରେ ଦିନ ୯ଟା ପର୍ଯ୍ୟନ୍ତ ଟ୍ରକ୍, ବସ୍, କାର୍ ଗୁଡ଼ିକ ଲାଇଟ୍ ଦେଇ ଯାତାୟତ କରୁଛନ୍ତି । ଟ୍ୱିନ୍ସିଟିର କେତେକ ସ୍ଥାନରେ ଲୋକେ ରାତିବେଳା ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଜାନୁଆରୀ ୧୪ ପର୍ଯ୍ୟନ୍ତ ଏହି ଶୀତ ଲହରୀ ଜାରି ରହିପାରେ । ବର୍ତ୍ତମାନ ଦିନବେଳା କଅଁଳ ଖରାର ପରସ ଲୋକଙ୍କୁ ଭିନ୍ନ ଏକ ଅନୁଭୂତି ଆଣିଛି । ଅବଶ୍ୟ ଖଟିଖିଆ ଦିନମଜୁରିଆମାନେ ଶୀତରେ ଥରିଥରି ଜୀବନ କାଟୁଥିବା ପରିଲକ୍ଷିତ ହେଉଛି । ତଥାପି ବି ମନରେ ସେତେଟା ଅବସାଦ ନାହିଁ । ପଚାରିଲେ କୁହନ୍ତି କି ଶୀତ ଦିନରେ ଯଦି ଟିକେ ଭଲ ଶୀତ ନହେଲା ତେବେ ଆଗକୁ ଦେହ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ବହୁ ସମୟରେ ଦେଖିବାକୁ ମିଳୁଛି । ଯଦ୍ୱାରା କି କିଛି ଲୋକେ ବିିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ବର୍ତ୍ତମାନ ସବୁଠୁ ଖୁସିର କଥା ଏହା ଯେ ପରିବା ଦର ପୂର୍ବାପେକ୍ଷା ଭଳି ଆଉ ସେତେଟା ଭାଉ ନାହିଁ । ସେହିପରି ଶୀତ ବଢ଼ିବା ସାଙ୍ଗକୁ ଟ୍ୱିନସିଟିର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଭିଡ଼ ଜମୁଛି । ପିକ୍ନିକ୍ ସ୍ପଟ୍ଗୁଡ଼ିକ ମଧ୍ୟରେ ଖଚାଖଚ ଭିଡ଼ ଲାଗୁଥିବା ଦେଖିବାକୁ ମିଳୁଛି ।

ସେହିପରି ଶୀତବସ୍ତ୍ର କିଣିବା ପାଇଁ ଉଭୟ ସହରରେ ଥିବା ବିଭିନ୍ନ ଦୋକାନ ବଜାରରେ ଗହଳି ଲାଗୁଥିବା ଦେଖାଯାଉଛି । ସୁଦୂର ନେପାଳ ଆସିଥିବା କିଛି ବ୍ୟବସାୟୀ ମଧ୍ୟ ଟ୍ୱିନ୍ସିଟିରେ ନିଜର ପସରା ମେଲାଇଛନ୍ତି । ଶୀତ ସାଙ୍ଗକୁ ସକାଳ ସମୟରେ କାକର ବୁନ୍ଦା ଗଛଲତାରେ ଲାଗି ଏକ ଭିନ୍ନ ପରିବେଶ ସୃଷ୍ଟି କରିଛି । ଟ୍ୱିନ୍ସିଟିର ବିଭିନ୍ନ ପାର୍କ ଓ ଖେଳପଡ଼ିଆରେ ସବୁବର୍ଗର ଲୋକେ ଶାରୀରିକ ବ୍ୟାୟାମ କରୁଥିବା ଦୃଷ୍ଟିଗୋଚର ହେଉଛି ।

Related Articles

Back to top button