ସ୍ଥାୟୀ ନିଯୁକ୍ତି ଦାବିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଭୁବନେଶ୍ୱର ଲୋୟର ପିଏମ୍‌ଜି ଛକରେ ଆନ୍ଦୋଳନ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଭୁବନେଶ୍ୱରର ଲୋୟର ପିଏମ୍‌ଜି ଛକ । ଆଜି ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମ୍‌ଜି ଛକରେ ଆନ୍ଦୋଳନ କରିଛନ୍ତି । ଲଘୁଚାପର ଲଗାଣ ବର୍ଷା ସତ୍ତ୍ବେ କର୍ମଚାରୀମାନେ ତାଙ୍କ ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ଦାବିରେ କର୍ମଚାରୀ ମାନେ ଏହି ଆନ୍ଦୋଳନ କରିଥିବା ଜଣାପଡ଼ିଛି ।

କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସମୟରେ ପ୍ରବଳ ବର୍ଷା ହୋଇଥିଲା । ଏହା ସତ୍ତ୍ବେ ବି ହଜାର ହଜାର ଚୁକ୍ତିଭିତ୍ତି କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଶହ ଶହ କର୍ମଚାରୀ ରାଜରାସ୍ତାରେ ବସିବା ସହ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସରକାର ଏହି ଚୁକ୍ତିଭିତ୍ତିକ ପ୍ରଥା ଖୁବଶୀଘ୍ର ଉଠାନ୍ତୁ ବୋଲି ଦାବି କରିଥିଲେ । ତାହା ସହ ଏହି ପ୍ରଥା ଉଠାନଗଲେ ନିଜର ଅଧିକାର ପାଇଁ ରାଜରାସ୍ତାରେ ଲଢ଼େଇ କରିବେ ବୋଲି ସେମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଖାଲି ଏତିକି ନୁହେଁ ଦରକାର ପଡ଼ିଲେ କୋର୍ଟରେ ଲଢ଼େଇ ହେବ ବୋଲି କର୍ମଚାରୀ ମାନେ କହିଛନ୍ତି ।

ଏହି ଆନ୍ଦୋଳନରେ ବିଭିନ୍ନ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ । କୃଷି ଏବଂ କୃଷକ ସଶକ୍ତିକରଣ, ସହଯୋଗ, ବାଣିଜ୍ୟ ଏବଂ ପରିବହନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଶକ୍ତି, ଏକ୍ସାଇଜ୍, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, ଖାଦ୍ୟ ସାମଗ୍ରୀ ଏବଂ ଗ୍ରାହକ କଲ୍ୟାଣ, ଜଙ୍ଗଲ ଏବଂ ପରିବେଶ, ସାଧାରଣ ପ୍ରଶାସନ ଏବଂ ଜନସାଧାରଣ ଅଭିଯୋଗ ଭିଳି ବିଭାଗରେ କାମ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଖାଲି ସେତିକି ନୁହେଁ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା ବିଭାଗ,

ଗୃହ ଏବଂ ସହରୀ ବିକାଶ, ଇଣ୍ଡଷ୍ଟ୍ରିଜ୍, ସୂଚନା ଏବଂ ଜନସମ୍ପର୍କ, ଶ୍ରମ ଏବଂ କର୍ମଚାରୀଙ୍କ ରାଜ୍ୟ ବୀମା , ନିୟମ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ପଞ୍ଚାୟତ ରାଜ ଏବଂ ପାନୀୟ ଜଳ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପରି ଅନେକ ବିଭାଗର କର୍ମଚାରୀ ଏହି ଆନ୍ଦୋଳନକୁ ଓହ୍ଳାଇବା ସହ ସରକାଙ୍କ ନିକଟରେ ଚୁକ୍ତିଭିତ୍ତିକ ପ୍ରଥା ଉଠାଇବାକୁ ଦାବି ରଖିଛନ୍ତି ।

Related Articles

Back to top button