ଆଜି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ, ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଆଜି  ଅପରାହ୍ନ ୪ଟା ୧୫ରେ ଆରମ୍ଭ ହେବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରୀ ହୋଇଥିବାରୁ ତାଙ୍କୁ ସ୍ବାଗତ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ନିଜ କଲେଜ ଆସୁଛନ୍ତି ରାଷ୍ଟ୍ରପତି ମୁର୍ମୁ। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ରହିବେ। ଏହି ଅବସରରେ ୪ ବିଶିଷ୍ଟ ମହିଳାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ। ଏଥିସହ ୨୨ଜଣଙ୍କୁ ସ୍ବର୍ଣ୍ଣପଦକ ଦିଆଯିବ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ବୁଧବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାବ୍ୟତୀତ ୨୦୨୨ ମସିହାର ୭,୪୩୦ ଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ମିଳିବ। ଯେଉଁଥିରେ ୨ ଜଣଙ୍କୁ ପିଏଚ୍‌ଡି, ୧୭ ଜଣଙ୍କୁ ଏମ୍‌ଫିଲ୍‌, ୭୪୭ ଜଣଙ୍କୁ ମାଷ୍ଟର ଡିଗ୍ରୀ, ୯୨ ଜଣଙ୍କୁ ବିଏଡ୍‌ ଏବଂ ୬,୫୭୨ ଜଣଙ୍କୁ ଯୁକ୍ତ୩ ଡିଗ୍ରୀ ମିଳିବ ବୋଲି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ସମାବର୍ତ୍ତନ ଉତ୍ସବରେ ଗଣମାଧ୍ୟମକୁ ବାରଣ କରାଯାଇଛି। ଏନେଇ ଖବରଦାତାଙ୍କ ପ୍ରଶ୍ନରେ କୁଳପତି କହିଛନ୍ତି, ଆମକୁ ଯାହା ନିର୍ଦ୍ଦେଶ ଆସିଛି ଆମେ କରୁଛୁ। ଶୃଙ୍ଖଳିତ ଭାବେ ପ୍ରଚାର କରିବାକୁ ଖବରଦାତା ସମ୍ମିଳନୀ ଆୟୋଜନ କରିଛୁ। ରାଷ୍ଟ୍ରପତିଙ୍କ ଗସ୍ତରେ ଖବରଦାତାଙ୍କୁ ବାରଣ ପ୍ରସଙ୍ଗରେ ପଚାରିଲେ ମୁଁ ତାର ଉତ୍ତର ଦେଇପାରିବି ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବି ଆପଣମାନଙ୍କୁ ମନା କରାଯାଇଥିଲା। ଏବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମଧ୍ୟ ବାରଣ କରାଯାଇଛି ବୋଲି ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଚଣ୍ଡୀ ରଥ, ଲୋକସମ୍ପର୍କ ଅଧିକାରୀ ଡ. ମାନସ ବେହେରା, ସସ୍ମିତା ମହାନ୍ତି, ମଧୁସ୍ମିତା ପତି ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button