ଆହତ ଅଜଗର ସାପର ହେଲା ସିଟି ସ୍କାନ୍

ଭୁବନେଶ୍ୱର:  ନିଶ୍ଚେତକ ଦିଆଯାଇ ସିଟି ସ୍କାନ୍ ହୋଇଥାଏ । କିନ୍ତୁ ଆହତ ଅଜଗରକୁ ଆନେସ୍ଥସିଆ ନଦେଇ ଦେଢ଼ଘଣ୍ଟା କାଳ ସିଟି ସ୍କାନ୍ କରାଯାଇଛି । ଓୟୁଏଟି ଭେଟରିନାରୀ କଲେଜ ସର୍ଜରୀ ଓ ରେଡିଓଲୋଜି ବିଭାଗ ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ମଡର୍ନ ହେଲଥ କେୟାରରେ ଏହି ସିଟି ସ୍କାନ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଏଠାରେ ଅନ୍ୟ ଏକ ଆହତ ଅଜଗରର ସିଟି ସ୍କାନ କରାଯାଇଥିଲା ।

ସୂଚନା ଅନୁସାରେ ବରଗଡ଼ ଫରେଷ୍ଟ ଡିଭିଜନରୁ ସାଢ଼େ ୯ ଫୁଟର ଏକ ଅଜଗରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଅଜଗରଟିକୁ ଲୋକେ ତେଣ୍ଟାରେ ଭୁସିଥିବାରୁ ପାଟିରେ କ୍ଷତ ସୃଷ୍ଟି ହୋଇଥିଲା । ଏପରିକି ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା । ପ୍ରାରମ୍ଭିକ ଏକ୍ସରେରୁ ହାଡ଼ ଭାଙ୍ଗିବା ଜଣା ପଡ଼ି ନଥିଲା । ଫଳରେ ଓୟୁଏଟି ପ୍ରଫେସର ଅଜଗରଟିର ସିଟି ସ୍କାନ କରିଛନ୍ତି । ସାପଟିର ସିଟି ସ୍କାନ ପାଇଁ ପ୍ରାୟ ଦେଢ଼ ଘଣ୍ଟା ଲାଗିଥିବା ବେଳେ କୌଣସି ନିଶ୍ଚେତକ ଦିଆଯାଇ ନଥିଲା ।

ସ୍କାନିଂ ପାଇଁ ମାଇକ୍ରୋ ପୋର୍ ପଟି ପକେଇ ଅଜଗରର ମୁଣ୍ଡକୁ ସ୍ଥିର ରଖା ଯାଇଥିଲା । ଅଜଗରର ସିଟି ସ୍କାନ ପାଇଁ ସହଯୋଗ, ସାହାଯ୍ୟ କରିଥିଲେ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଏବେ ଅଜଗରର ସିଟି ସ୍କାନ୍ ସରିଥିବା ବେଳେ ରିପୋର୍ଟ ଆସିବା ପରେ ଜଣା ପଡ଼ିବ ସାପର ମୁଣ୍ଡରେ କିଛି କ୍ଷତ ସୃଷ୍ଟି ହୋଇଛି ନା ନାହିଁ ।

Related Articles

Back to top button