ଶ୍ରୀଭୂମି ଗ୍ରୁପ ଅଫ୍‌ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍‌ ଅଦାଲତ

କଟକ: ଜିଲା ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍‌ ଅଦାଲତ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି ଶ୍ରୀଭୂମି ଗ୍ରୁପ ଅଫ୍‌ କମ୍ପାନୀର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖୋର୍ଦ୍ଧା ଜିଲାର ବିଭିନ୍ନ ତହସିଲରେ ଥିବା କମ୍ପାନୀର ପ୍ରାୟ ୨୪ ଏକରରୁ ଅଧିକ ଜମି ବାଜ୍ୟାପ୍ତି କରାଯିବ। ଉକ୍ତ ଜମି ଜବତ ପରେ ସର୍ବସାଧାରଣରେ ନିଲାମ କରି ବିକ୍ରି ଲବ୍ଧ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଉକ୍ତ ଚିଟ୍‌ଫଣ୍ଡ୍‌ କମ୍ପାନୀ ବିରୋଧରେ କୋର୍ଟଙ୍କ ଏହା ଦ୍ୱିତୀୟ ନିର୍ଦ୍ଦେଶନାମା। ୨୦୧୭ରେ ଏହି କମ୍ପାନୀର ୪୬ ଏକର ଜମି ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି କମ୍ପାନୀ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଲୁଟିଥିବା ଅଭିଯୋଗ ନେଇ କ୍ଷତିଗ୍ରସ୍ତ ଜମାକାରୀମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜମାଟଙ୍କା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦୁଇଗୁଣା, ତିନିଗୁଣା ହେବ କହି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଯାଇଥିଲା। ବିଶେଷକରି ଗରିବ, ଦିନମଜୁରିଆ ଲୋକମାନେ ନିଜର କଷ୍ଟ ଉପାର୍ଜିତ ଟଙ୍କା ଉକ୍ତ କମ୍ପାନୀରେ ଜମା ରଖିଥିଲେ। ତେବେ ଏହି ଟଙ୍କା କମ୍ପାନୀ ନିଜ କାମରେ ବ୍ୟବହାର କରିଥିଲା। ସାଧାରଣ ଜମାକାରୀମାନେ ନିର୍ଦ୍ଧାରିତ ସମୟରେ ଟଙ୍କା ପାଇବାରେ ବିଫଳ ହେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related Articles

Back to top button