
ହୀରାକୁଦ ଫାଟ ମରାମତିକୁ ଅଭିଜ୍ଞତା ନ ଥିବା କହି ଅଗ୍ରାହ୍ୟ କରିଲା ସିଡବ୍ଲ୍ୟୁପିଆରଏସ୍
ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଫାଟ ପ୍ରସଙ୍ଗ ଏବେ ଭିନ୍ନ ମୋଡ ନେଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ଅନୁଧ୍ୟାନ ଓ ମରାମତି ଲାଗି ମହାରାଷ୍ଟ୍ରର ପୁନେସ୍ଥିତ କେନ୍ଦ୍ରୀୟ ଜଳ ଓ କ୍ଷମତା ଗବେଷଣା କେନ୍ଦ୍ର (ସିଡବ୍ଲ୍ୟୁପିଆରଏସ୍)ର ସହାୟତା ଲୋଡ଼ା ଯାଇଥିଲା। ହେଲେ ସିଡବ୍ଲ୍ୟୁପିଆରଏସ୍ ନିର୍ଦେଶାଳୟ ନିଜର ଅକ୍ଷମତା ପ୍ରକାଶ କରିଛି। ଏ ନେଇ ଅଭିଜ୍ଞତା ନ ଥିବା କହି ଜଳସମ୍ପଦ ବିଭାଗର ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛି। ଫାଟ ସ୍ଥାନର ମରାମତି କରିପାରିବ ନାହିଁ ବୋଲି ଏହି ସଂସ୍ଥା ସ୍ପଷ୍ଟ କରିଛି। ଏହାକୁ ନେଇ ବୁର୍ଲା ମହାନଦୀ ଅବବାହିକା ମୁଖ୍ୟଯନ୍ତ୍ରୀଙ୍କ ତତ୍ପରତା ବଢ଼ିବା ସହିତ ଜଳସମ୍ପଦ ବିଭାଗର ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ପ୍ରସଙ୍ଗରେ ଏବେ କ’ଣ କରାଯିବ ତା’ ଉପରେ ତୁରନ୍ତ ମତାମତ ଦେବାକୁ ମୁଖ୍ୟଯନ୍ତ୍ରୀ ଜଳସମ୍ପଦ ବିଭାଗର ସର୍ବୋଚ୍ଚଯନ୍ତ୍ରୀ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ମୁଖ୍ୟଯନ୍ତ୍ରୀ ଚଳିତମାସ ୭ରେ ବିଭାଗକୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ହୀରାକୁଦ ନଦୀବନ୍ଧର ଫାଉଣ୍ଡେସନ ଗ୍ୟାଲେରୀ ସହିତ ଫାଟକ, ସ୍ଲୁଇସ୍ ଏବଂ ବାମ ଓ ଦକ୍ଷିଣ ପାର୍ଶ୍ବ ସ୍ପିଲୱେରେ ଫାଟ ସୃଷ୍ଟି ନେଇ ସିଡବ୍ଲ୍ୟୁପିଆରଏସର ସହାୟତା ଲୋଡାଯାଇଥିଲା। ହେଲେ ସିଡବ୍ଲ୍ୟୁପିଆରଏସ ନିର୍ଦେଶାଳୟ ଏଥିପାଇଁ ମନା କରି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ଏବଂ କିଭଳି ହୀରାକୁଦର ନଦୀବନ୍ଧର ସଂପୃକ୍ତ ଅଞ୍ଚଳ ଫାଟ ମରାମତି ହେବ ସେ ନେଇ ଅବଗତ କରାଇବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ବର୍ଷା ଋତୁରେ ଅନେକ ସମୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେଉଥିବାରୁ ହୀରାକୁଦ ନଦୀବନ୍ଧ ଉପରେ ବନ୍ୟାଜଳର ଚାପ ପଡୁଛି। ବନ୍ଧ କ୍ରମଶଃ ଦୁର୍ବଳ ହେଉଥିବାରୁ ମହାନଦୀ ଅବବାହିକାର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସତ୍ତ୍ବେ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବାକୁ ପଡୁଛି।
ତା’ଛଡା ଜଳଭଣ୍ଡାର ବର୍ଷ ପରେ ବର୍ଷ ପଟୁମାଟିରେ ପୋତି ହୋଇପଡୁଥିବାବେଳେ ପଟୁ ନିଷ୍କାସନ ଦିଗରେ କୋୖଣସି ପଦକ୍ଷେପ ନିଆଯାଉନାହିଁ। ଯାହାର ପ୍ରଭାବ ବନ୍ଧ ଉପରେ ପଡୁଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ହୀରାକୁଦ ନଦୀବନ୍ଧର ମରାମତି ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟିଦେବାର ଆବଶ୍ୟକତା ରହିଛି।