ସ୍କୁଲରେ ସାଇବର ଅପରାଧ ସମ୍ପର୍କରେ ସଚେତନ କରାଇବ କମିସନରେଟ୍ ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ଏଣିକି ପୋଲିସ ସ୍କୁଲମାନଙ୍କୁ ଯାଇ ସେଠାରେ ପିଲାମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରାଇବ । ଏନେଇ କମିସନରେଟ ପୋଲିସ ତରଫରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ରାଜଧାନୀର ସମସ୍ତ ସ୍କୁଲରେ ସାଇବର କ୍ରାଇମ ସଚେତନ ନେଇ କର୍ମଶାଳନ ଅନୁଷ୍ଠିତ ହେବ ।

ତେବେ ଏହି ନୂଆ ପଦକ୍ଷେପ ଅନୁସାରେ, ସ୍କୁଲ କର୍ତ୍ତୃପକ୍ଷ ଓ ପୋଲିସ ଅଧିକାରୀଙ୍କୁ ନେଇ ଏକ ହ୍ୱାଟସଆପ ଗ୍ରୁପ ଗଠନ କରାଯିବ । ଏଥିସହିତ ସ୍କୁଲ ସ୍ତରରେ ସିକ୍ୟୁରିଟି କ୍ଲବ ମଧ୍ୟ ଗଠନ ହେବ । ଏନେଇ କମିସନରେଟ ପୋଲିସ ମୁଖ୍ୟାଳୟରେ ଭୁବନେଶ୍ୱରର ୧୦୦ଟି ସ୍କୁଲର ପ୍ରତିନିଧି ଓ ପୋଲିସ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀପ ସିଂ, ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ନିଷ୍ପତ୍ତି ମୁତାବକ, ପ୍ରଥମେ ପ୍ରତ୍ୟେକ ସ୍କୁଲରୁ ଦୁଇଜଣଙ୍କୁ ନେଇ ପୋଲିସ ହ୍ୱାଟଆପ୍ ଗ୍ରୁପ ଗଠନ କରିବ । ଉକ୍ତ ଗ୍ରୁପରେ ସ୍କୁଲର କମ୍ପ୍ୟୁଟର ଶିକ୍ଷକ ଓ ଅନ୍ୟ ଶିକ୍ଷକ ରହିବେ । ସେହିପରି ବ୍ଲକ ସ୍ତରରେ ସାଇବର ସିକ୍ୟୁରିଟି କ୍ଲବରେ ୫ ଜଣ ରହିବେ । ଦୁଇଜଣ ଛାତ୍ର, ଜଣେ ଛାତ୍ରୀ ଓ ୨ ଜଣ ଶିକ୍ଷକ ଉକ୍ତ କ୍ଲବରେ ସ୍ଥାନ ପାଇବେ । ପ୍ରଥମ ପର୍ଯ୍ୟାୟରେ ୫୦ଟି ସ୍କୁଲରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ । ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ସାଇବର ବିଶେଷଜ୍ଞ ସେଥିରେ ଭାଗ ନେବେ । ଉକ୍ତ କାର୍ଯ୍ୟକ୍ରମରେ ୧୦ରୁ ୧୨ଟି ସାଇବର ଠକେଇ ବିଷୟରେ ପାଠ ପଢ଼ାଯିବା ସହ ସଚେତନତା ପୁସ୍ତିକା ପ୍ରଦାନ କରାଯିବ । କମିସନରେଟ ପୋଲିସର ଏହି ଅଭିନବ ପ୍ରୟାସ ଦ୍ୱାରା ନିଶ୍ଚିତ ଭାବେ ସୁଫଳ ମିଳିବ ବୋଲି ଆଶା କରାଯାଉଛି ।

Related Articles

Back to top button