ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ

ବାଲେଶ୍ବର: ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବ ବହୁ ପ୍ରତିକ୍ଷୀତ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। କଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ରହିଥିବା ଏହି ଡାକୋଟା ବିମାନ ଏବେ ଖୋଲା ଯାଉଛି (ଡିସମେଣ୍ଟାଲିଂ)। ୧୨ ତାରିଖରେ ଏହା ଦୁଇଟି ବଡ଼ବଡ଼ ଟ୍ରକରେ କଲକାତାରୁ ଓଡ଼ିଶା ଅଭିମୁଖେ ଯାତ୍ରା କରିବ। ଏଥିପାଇଁ ପୁଲିସ ଡିଜି ଓ ପରିବହନ ବିଭାଗ ସଚିବ ବିମାନ ଆସିବାକୁ ଥିବା ଜାତୀୟ ରାଜପଥର ସମସ୍ତ ଅଧିକାରୀମାନଙ୍କୁ ସଜାଗ କରି ଦେଇଛନ୍ତି। ଦୁଇ ବର୍ଷ ପୂର୍ବେ ବିଜୁ ପଟ୍ଟନାୟକଙ୍କ ଏହି ବିମାନକୁ ଓଡ଼ିଶା ଆଣିବା ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗକୁ ଚିଠି କରିଥିଲେ ରାଜ୍ୟ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ।

ଏବେ ଉଦ୍ୟମ ସଫଳ ହେବାକୁ ଯାଉଛି। ବିମାନକୁ ଖୋଲା ଯାଇ ବଡ଼ବଡ଼ ଟ୍ରକ ଦୁଇଟିରେ ଜାତୀୟ ରାଜପଥରେ ଭୁବନେଶ୍ବର ଅଣାଯିବ। ସେଠାରେ ପୁଣି ପୂର୍ବବତ ଯୋଡ଼ା ଯାଇ ସମ୍ପୂର୍ଣ୍ଣ ବିମାନକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ। ଏଥିପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ୧.୧ ଏକର ଜମି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯୋଗାଇ ଦିଆଯାଇଛି। ୬୪ ଫୁଟ ୮ ଇଞ୍ଚ ଲମ୍ବ ଓ ୯୫ ଫୁଟର ଡେଣା ଥିବା ଏହି ବିମାନକୁ ଓଡ଼ିଶା ଆଣିବା ପାଇଁ ସରକାରଙ୍କ ଉଦ୍ୟମ ସାକାର ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସ୍ମୃତିକୁ ଜନମାନସରେ ସବୁଦିନ ଉଜ୍ଜୀବିତ କରିବା ପାଇଁ ଏହି ପ୍ରୟାସ ନିଶ୍ଚିତ ଭାବେ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର କଥା।

ସୂଚନାଯୋଗ୍ୟ ଯେ ୧୯୪୭ ମସିହା ଜୁଲାଇ ୨୧ରେ ଯାତ୍ରା କରି ୨୪ ତାରିଖରେ ବିଜୁ ପଟ୍ଟନାୟକ ଏହି ଡାକୋଟା ବିମାନରେ ତତକାଳୀନ ଇଣ୍ଡୋନେସିଅା ପ୍ରଧାନମନ୍ତ୍ରୀ ସାହାରିର ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଉଦ୍ଧାର କରି ଭାରତକୁ ନେଇ ଆସିଥିଲେ। ଏଥିପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ଶ୍ରେଷ୍ଠ ଜାତୀୟ ସମ୍ମାନ ‘ବିନଟାଙ୍ଗ ଯଶୋଉତ୍ତମା’ ପ୍ରଦାନ କରାଯାଇଥିଲା।

Related Articles

Back to top button