ଦାରିଙ୍ଗବାଡିରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଇକୋ ରିଟ୍ରିଟ୍‌ କାର୍ଯ୍ୟ

ଦାରିଙ୍ଗବାଡି: ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ପାରଦ ତଳମୁହାଁ ହେଉଛି। ସେପଟେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦାରିଙ୍ଗବାଡି଼କୁ ପର୍ଯ୍ୟଟକ ଆସିଲେଣି। ଅଞ୍ଚଳରେ ଥିବା ହୋଟେଲ ରେଷ୍ଟୁରାଣ୍ଟରେ ଭିଡ ଜମିଲାଣି। ଗତ ଦୁଇବର୍ଷ ଦାରିଙ୍ଗବାଡିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋ ରିଟ୍ରିଟ ପ୍ରାୟ ୩ମାସ ଧରି କରାଯାଉଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସି ସେଠାରେ ରାତ୍ରିଯାପନ କରିବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ପସନ୍ଦ କରୁଥିବା ଦେଖାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଇକୋ ରିଟ୍ରିଟ ଏକ ପାହାଡକୁ ନିଆଯାଇଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର କାର୍ଯ୍ୟ ଚାଲଛି। ପାହାଡ଼ରୁ ବଡ଼ ବଡ଼ ପଥର ବାହାର କରାଯାଇ ଜମି ସମତଳ, ବିଦ୍ୟୁତ ସଂଯୋଗ, ରାସ୍ତା ସମ୍ପ୍ରସାରଣ, ପାନୀୟଜଳ ଯୋଗାଣ, କର୍ଟେଜ ନିର୍ମାଣ ଆଦି ସମସ୍ତ ବ୍ୟବସ୍ଥା କରାଯାଉଛି। ଉକ୍ତ ପାହାଡ଼ ଚାରିପଟେ ସୌନ୍ଦର୍ଯ୍ୟ ଭରପୁର ହୋଇରହିଥିବା ବେଳେ ଚାରିପଟର ଦୃଶ୍ୟ ଅତି ଆମୋଦଦାୟକ ରହିଛି। ଯାହାକି ଅତୀତରେ କରାଯାଇଥିବା ଇକୋ ରିଟ୍ରିଟଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ରହିବ। ସେହିପରି ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ କରାଯିବାକୁ ଯୋଜନା କରଯାଉଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୨୦ରୁ ଆରମ୍ଭ କରଯାଇଥିବା ଇକୋ ରିଟ୍ରିଟ ପର୍ଯ୍ୟଟନ ବିଭାଗର ନିଜସ୍ବ ଜମିରେ କରାଯାଇଥିଲା। ଏଥିପାଇଁ ମୁକୁଳା ପଡିଥିବା ଉକ୍ତ ଜମିକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପାଚେରି ବୁଲାଯିବା ସହ ବିଦ୍ୟୁତ ସଂଯୋଗ, ପାନୀୟଜଳ ଯୋଗାଣ ଓ ପକ୍କା ରାସ୍ତା ଆଦି ନିର୍ମାଣ କରାଯାଇଥିଲା। ତଥାପି ତାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରି ନ ଥିଲା । ତେଣୁ ପ୍ରଶାସନ ପୁଣି ଏକ ଜମି ଚି଼ହ୍ନଟ କରି ସେଠାରେ ଇକୋ ରିଟ୍ରିଟ ପାଇଁ କ୍ଷେତ୍ର ପ୍ରସ୍ତୁତ କାର୍ଯ୍ୟକୁ ଜୋରଦାର ଚଳାଇଛି। ଇକୋ ରିଟ୍ରିଟ ଆସନ୍ତା ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବା ସମ୍ଭାବନା ରହିଛି।

Related Articles

Back to top button