ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସତ୍କାର
ଭୁବନେଶ୍ବର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କର ମରଶରୀର ଆଜି ରାତିରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ବିମାନବନ୍ଦରରେ ପହଞ୍ଚିଲା ପରେ ପିଣ୍ଟୁ ନନ୍ଦଙ୍କର ମରଶରୀରକୁ ଆମ୍ବୁଲାନ୍ସରେ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ଡାକ୍ତରଖାନାରେ ପିଣ୍ଟୁ ନନ୍ଦଙ୍କ ମରଶରୀର ରାତିସାରା ରହିବ। ଆସନ୍ତାକାଲି ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କର ମରଶରୀର ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯିବ। ପିଣ୍ଟୁ ନନ୍ଦଙ୍କର ଜଣେ ସଂପର୍କୀୟଙ୍କ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବିମାନବନ୍ଦରରେ ପିଣ୍ଟୁ ନନ୍ଦଙ୍କର ମରଶରୀର ପହଞ୍ଚିଲା ପରେ ଓଡ଼ିଆ ସିନେ କଳାକାର ତଥା ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ବ୍ୟକ୍ତି ବିଶେଷ ବିମାନବନ୍ଦରରେ ପହଞ୍ଚି ଥିଲେ।
ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ନିକଟରେ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିୟାରି ସାଇନ୍ସ (ଆଇଏଲବିଏସ)ରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ପିଣ୍ଟୁଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯଶୋଦା ହସ୍ପିଟାଲ୍ ଡାକ୍ତରମାନେ ତାଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ (କାଡେଭର) କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ପିଣ୍ଟୁ ନନ୍ଦଙ୍କୁ ଡୋନର ନମିଳିବାରୁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ପରିବାରର ଜଣେ ସଦସ୍ୟ ଲିଭର ଦାନ କରିବାର ଥିଲା। କିନ୍ତୁ ଠିକ ସମୟରେ ବ୍ଲଡ୍ ଗ୍ରୁପ୍ ଅସଙ୍ଗତି ଏବଂ ଅନ୍ୟାନ୍ୟ କାରଣରୁ ତାହା ସମ୍ଭବ ହୋଇପାରିନଥିଲା।
ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଜଣାଶୁଣା ନାମ ପିଣ୍ଟୁ ନନ୍ଦ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁର ଜିଲ୍ଲା ଓଡ଼ିଶ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଶୋକ କୁମାର ନନ୍ଦ ଓ ମାତା କାନ୍ତିଲତା ନନ୍ଦ। ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ। ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ ବଂଶୀବାଦକ। ପିଣ୍ଟୁ ଜଗତସିଂହପୁରର ଏସ୍. କେ ଏକାଡେମିରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପିଣ୍ଟୁ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଜରିଆରେ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ୧୯୯୬ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କୋଇଲି ଜରିଆରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରିଥିଲେ। ଏଥିସହ ସେ ଓଡ଼ିଆ ଆଲ୍ବମ୍ରେ ଅଭିନୟ ମଧ୍ୟ କରିଥିଲେ। ‘ଏ ଗଉରା କ’ଣ ଖାଉଚୁ’ ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟ କରାଇଥିଲା।