
ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ତାଳ ଗଛ ଲଗାଯିବା ନେଇ ପଦକ୍ଷେପ ନିଆଯାଇଥିବା କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ପ୍ରାକୃତିକ ବିପର୍ଯ୍ୟୟ ବିଜୁଳି ଘଡ଼ଘଡ଼ିରେ ଅନେକ ଲୋକଙ୍କ ସହିତ ଗାଈ ଗୋରୁଙ୍କର ମଧ୍ୟ ମୃତ୍ୟୁ ହେଉଛି । କିପରି ଏହାକୁ ରୋକାଯିବ ଏହା ଏକ ବଡ଼ ସମସ୍ୟା ରୂପେ ଦଣ୍ଡାୟମାନ ହୋଇଛି । ଗତ ୫ ବର୍ଷରେ ବଜ୍ରାଘାତରେ ପ୍ରାୟ ୧୭୦୦ ମୃତ୍ୟୁ ହୋଇଛି । ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ତାଳ ଗଛ ଲଗାଯିବ । ଏନେଇ ପଦକ୍ଷେପ ନିଆଯାଇଥିବା କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ମନ୍ତ୍ରୀ କହିଛନ୍ତି ଯେ, ” ପୂର୍ବ ବର୍ଷ ୨୦ ଲକ୍ଷ ଗଛ ଲଗାଯାଇ ଟାର୍ଗେଟ୍କୁ ପୂରଣ କରାଯାଇଛି । ଏ ବର୍ଷ ୫ରୁ ୬ କୋଟି ଟଙ୍କାର ତାଳ ଗଛ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି” । ତାଳ ଗଛ ଲଗାଇବା ପାଇଁ ଖୋଲା ଚାଷଜମି, ଗ୍ରାମ ଉପକଣ୍ଠ ଏବଂ ରାଜପଥ ସହିତ ବିପନ୍ନ ଅଞ୍ଚଳଗୁଡିକ ଚିହ୍ନଟ କରାଯିବ । ବଜ୍ରପାତ ଉଚ୍ଚ ଉଚ୍ଚ ଗଛ ଉପରେ ପଡିଥାଏ । ସେଥିପାଇଁ ତାଳ ଗଛ ଉଚ୍ଚ ହୋଇଥିବାରୁ ବଜ୍ରପାତ ତା ଉପରେ ପଡିଥାଏ । ତାଳଗଛ ଗୁଡ଼ିକ ପ୍ରାକୃତିକ ବଜ୍ରବାହୀ ଭାବରେ କାର୍ଯ୍ୟ କରିଥାଏ ଓ ବୈଦ୍ୟୁତିକ ଚାର୍ଜ ବିଚ୍ଛିନ୍ନ କରିବାରେ ସାହାଯ୍ୟ କରିଥାଏ। ଫଳରେ ବଜ୍ରପାତଜନିତ ମୃତ୍ୟୁ ହ୍ରାସ ପାଇବ । ଗତ ଶୁକ୍ରବାର ବଜ୍ରାଘାତରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ବଜ୍ରାଘାତରେ ସତର୍କରେ ରହିବାକୁ ସୂଚନା ଦିଆଯାଇଛି ।