ଏଣିକି ସ୍କୁଲ୍‌ରେ ମିଳିବ ଜେଇଇ, ନିଟ୍ କୋଚିଂ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ଧରଣର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣିକି ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ଆଉ ଗରିବ ଓ ମେଧାବୀଙ୍କ ପାଇଁ ଅର୍ଥ ବାଧକ ସାଜିବ ନାହିଁ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବିଦ୍ୟାଳୟରେ ମାଗଣାରେ ଜେଇଇ ଓ ନିଟ୍ କୋଚିଂ ପ୍ରଦାନ କରାଯିବ । ଜୁନିୟର କଲେଜଗୁଡ଼ିକ ହାଇସ୍କୁଲ୍ କ୍ୟାମ୍ପସକୁ ଆସିବା ପରେ ଖୁବ୍ ଶୀଘ୍ର ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ । ସରକାରଙ୍କ ଏପରି ପଦକ୍ଷେପକୁ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିବାବେଳେ ସେମାନେ ନିଜ ସ୍ୱପ୍ନ ପୂରଣ କରିପାରିବେ ବୋଲି ଆଶାବାଦୀ ରହିଛନ୍ତି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲ୍‌ଗୁଡ଼ିକରେ ମଧ୍ୟ ଏହି କୋଚିଂ ପ୍ରଦାନ କରାଯିବ । ମାଟ୍ରିକ୍‌ରେ ୯୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ । ଫଳରେ ଗରିବ ଓ ମଧ୍ୟମ ଧରଣର ଛାତ୍ରଛାତ୍ରୀ ସର୍ବଭାରତୀୟସ୍ତରର ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ । ରାଜ୍ୟରେ ଅପ୍‌ଗ୍ରେଡ୍ ହୋଇଥିବା ୧୦୧ଟି ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ପାଇଁ ଯୋଜନା କରାଯାଇଛି । ତେବେ ଖୁବ୍ ଶୀଘ୍ର ଏହାକୁ ଲାଗୁ କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ରାଜ୍ୟର ଉପାନ୍ତ ଅଞ୍ଚଳରେ ଥିବା ବହୁ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପରେ ଦୂରରେ ଥିବା କଲେଜକୁ ଯିବା ପାଇଁ ପସନ୍ଦ ନ କରି ଘରେ ରହୁଥିଲେ । ଫଳରେ ପ୍ରତିବର୍ଷ ୧୦ମ ପାସ୍ ପରେ ବହୁ ଛାତ୍ରଛାତ୍ରୀ ଡ୍ରପ୍‌ଆଉଟ୍‌ ହୋଇ ରହିଯାଉଛନ୍ତି । ଏଣିକି ଉପାନ୍ତ ଅଞ୍ଚଳର ଏଭଳି ବିଦ୍ୟାଳୟଗୁଡ଼ିକୁ ଚୟନ କରି ରାଜ୍ୟ ସରକାର ଦ୍ୱାଦଶ ଯାଏଁ ଅପଗ୍ରେଡ୍ କରିଛନ୍ତି । ଫଳରେ ସ୍କୁଲ୍‌ର ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ । ଓଡ଼ିଶା ଆଦର୍ଶବିଦ୍ୟାଳୟର ସଫଳତାକୁ ସରକାରୀ ସ୍କୁଲ୍‌ରେ ଦୋହରାଇବା ପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିଛନ୍ତି ।

Related Articles

Back to top button