ଦେଓମାଳି ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ – ତଥ୍ୟ ଦେଲେ କେନ୍ଦ୍ର ସରକାର

ବଲାଙ୍ଗିର : ବିଧାନସଭାର ଗତ ମୌସୁମୀ ଅଧିବେଶନରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଦେଓମାଳି ପର୍ବତ ଓଡିଶାର ରାଜସ୍ୱ, ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗର ଖାତାରେ ନାହିଁ ବୋଲି କହିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗଭୀର ଉଦବେଗ ପ୍ରକାଶ କରିଥିଲେ । ବାଚସ୍ପତି ଏହି ଘଟଣାରେ ରୁଲିଂ ପ୍ରଦାନ କରି ତିନି ବିଭାଗର ସମନ୍ୱୟ ବୈଠକ କରି ପଦକ୍ଷେପ ନେବାକୁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏଭଳି ଉତ୍ତର ସମଗ୍ର ରାଜ୍ୟର ସଚେତନ ନାଗରିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ।

ଓଡିଶା ସରକାରଙ୍କ ମଧ୍ୟରେ ରହିଥିବା ଏଭଳି ଦ୍ୱନ୍ଦକୁ ଦୂର କରିବା ପାଇଁ ରାଜ୍ୟର ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ତଥ୍ୟ ମାଗିଥିଲେ । ଦେଶର ସମସ୍ତ ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଓ ଦେଶର ଉଚ୍ଚତମ ଗିରିଶୃଙ୍ଗମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ । ସୂଚନା ଅଧିକାର ଆଇନର ୬(୩) ଧାରା ଅନୁଯାୟୀ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଉତ୍ତରାଖଣ୍ଡର ଆଲମୋରା ସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ଥ ରାଷ୍ଟ୍ରୀୟ ହିମାଳୟୀ ପର୍ଯ୍ୟାବରଣ ସଂସ୍ଥାନ (ଏନଆଇଏଚଇ)କୁ ତଥ୍ୟ ପ୍ରଦାନ କରିବା ପାଇଁ ପଣ୍ଡାଙ୍କ ଅବେଦନକୁ ହସ୍ତାନ୍ତର କରିଥିଲେ ।

ଏନ୍ ଆଇ ଏଚ୍ ଇ ପଣ୍ଡାଙ୍କୁ ପ୍ରଦାନ କରିଥିବା ତଥ୍ୟରେ ଓଡ଼ିିଶାର ସର୍ବୋଚ୍ଚ ପର୍ବତ ଭାବେ ପୂର୍ବଞ୍ଚଳ ଘାଟର ଦେଓମାଳିର ନାମ ରହିଛି । ପଡୋଶୀ ଆନ୍ଧ୍ର ପ୍ରଦେଶର ସର୍ବୋଚ୍ଚ ପର୍ବତର ନାମ ଆର୍ମା କୋଣ୍ଡା ରହିଛି । ସୂଚନା କର୍ମି ପଣ୍ଡାଙ୍କୁ ମିଳିଥିବା ରାଜ୍ୟୱାରୀ ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ଗିରଶୃଙ୍ଗ ତାଲିକାରେ ସିକିମରେ ଅବସ୍ଥିତ ୮୫୯୮ ମିଟର ଉଚ୍ଚତା ବିଶିଷ୍ଟ ପୂର୍ବାଞ୍ଚଳ ହିମାଳୟର କାଞ୍ଚନଜଂଘା ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ବିହାରର ଦକ୍ଷିଣ ଚମ୍ପାରନ ଜିଲ୍ଲାର ୮୮୦ ମିଟର ଉଚ୍ଚତା ବିଶିଷ୍ଟ ଶିବାଲିକ ହିଲ୍ସ ସର୍ବନିମ୍ନ ସ୍ଥାନରେ ରହିଛି । ଓଡ଼ିଶାର ଦେଓମାଳି ପର୍ବତର ଉଚ୍ଚତା ୧୬୭୨ ମିଟର ରହିଥିବା ବେଳେ ୨୮ଟି ରାଜ୍ୟମାନଙ୍କ ମଧ୍ୟରେ ୧୬ ନମ୍ବରରେ ରହିଛି । ଆନ୍ଧ୍ରର ପୂର୍ବାଞ୍ଚଳ ଘାଟ ଅନ୍ତର୍ଗତ ୧୬୮୦ ମିଟର ଉଚ୍ଚତା ବିଶିଷ୍ଟ ଆର୍ମାକୋଣ୍ଡା ପର୍ବତ କ୍ରମିକ ଭାବେ ୧୫ ନମ୍ବରରେ ରହିଛି । ତଥ୍ୟରେ ପ୍ରଦାନ କରାଯାଇଥିବା ଦେଶର ସର୍ବୋଚ୍ଚ ୪୯ଟି ଗିରିଶୃଙ୍ଗମାନଙ୍କ ମଧ୍ୟରେ ଦେଓମାଳି ନାହିଁ । ବିଧାନସଭାରେ ମନ୍ତ୍ରୀମାନେ ଉତ୍ତର ଦେବା ବେଳେ ସମ୍ପୂର୍ଣ ଭାବେ ପ୍ରସ୍ତୁତ ହୋଇ ଉତ୍ତର ଦେବା ଆବଶ୍ୟକତା ରହିଛି । ସୀମା ବିବାଦ ଚାଲିଥିବା ବେଳେ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ସହିତ ସମ୍ପୃକ୍ତ ବିଷୟବସ୍ତୁ ଉପରେ ସମସ୍ତ ତଥ୍ୟ ଓଡ଼ିଶା ସରକାର ସଂଗ୍ରହ କରିବା ଆବଶ୍ୟକତା ରହିଛି । ମନ୍ତ୍ରୀ ସବୁଠାରୁ ସହଜ କଥା ଦେଓମାଳି ରେକର୍ଡ ଓଡ଼ିଶାରେ ନାହିଁ ବୋଲି ବିଧାନସଭାରେ କହିବା ଦ୍ୱାରା ରାଜ୍ୟର ସୀମା ପ୍ରସଙ୍ଗକୁ ଗୁରୁତ୍ୱହୀନ କରିଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ବିଭାଗ ଗୁଡିକ ମଧ୍ୟ ମନ୍ତ୍ରୀମାନଙ୍କୁ ସମସ୍ତ ତଥ୍ୟ ସଂଗ୍ରହ କରି ଯୋଗାଇଦେବା ଆବଶ୍ୟକତା ରହିଛି । ରାଜ୍ୟର ଭୌଗଳିକ ସ୍ଥିତି ବିଷୟରେ ଯଦି ମନ୍ତ୍ରୀମାନେ ସଠିକ ଉତ୍ତର ରଖିବେ ନାହିଁ ତାହେଲେ ରାଜ୍ୟର ସଚେତନ ନାଗରିକମାନେ କେବଳ ବ୍ୟଥିତ ହେବେ ଏହା ନୁହେଁ,ରାଜ୍ୟର ଛାତ୍ରଛାତ୍ରୀମନଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିବା ଆଶଙ୍କା ରହିଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ଆଧାରରେ ଓଡିଶା ସରକାର ଜଙ୍ଗଲ ବିଭାଗ ଦେଓମାଳିକୁ ଖାତାରେ ଉଲ୍ଲେଖ କରିବା ପାଇଁ ଅସୁବିଧା ନାହିଁ ବୋଲି ପଣ୍ଡା କହିଛନ୍ତି । ଓଡ଼ିଶା ବିଧାନସଭାର ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସେ ଏହି ତଥ୍ୟ ପଠାଇବେ ବୋଲି କହିଛନ୍ତି ।

Related Articles

Back to top button