
ଜ୍ୱରରେ ମହାପ୍ରଭୁ, ଅଲାରନାଥରେ ଶ୍ରଦ୍ଧାଳୁଙ୍କ ଭିଡ଼
ଅଣସର ଦର୍ଶନ ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ। ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର। ଶ୍ରୀମନ୍ଦିରରେ ହୋଇଛି ଅଣସର ନୀତି। ପୂଜା ପାଉଛନ୍ତି ପଟି ଦିଅଁ। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଅଣସର ଦର୍ଶନ ପାଇଁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼।
ଅଲାରନାଥ ପୀଠରେ ଅଣସର ଦର୍ଶନ ହୋଇଛି । ପରମ୍ପରା ଅନୁଯାୟୀ ରାତି ପ୍ରାୟ ସାଢ଼େ ତିନିଟାରୁ ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ବେଶ କରାଯାଇଛି। ସକାଳ ପ୍ରାୟ ସାଢ଼େ ପାଞ୍ଚଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଅଲାରନାଥଙ୍କ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ନୀର୍ଦ୍ଧାରିତ ସମୟରେ ଚାଲୁଛି ନୀତିକାନ୍ତି।
ମଧ୍ୟାହ୍ନ ଧୂପ ପରେ ଖୀରି ଭୋଗ, ସା ଆଳତି ଓ ଧୂପ, ବଡ଼ସିଂହାର ଧୂପ ଓ ପହଡ଼ ପାଇଁ ନୀତିନିର୍ଘଣ୍ଟ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍ କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।