
ଓଡିଶାରେ ୫୧,୨୬୦ଟି ନକଲି ସିମ୍କାର୍ଡ ସଂଯୋଗ ବାତିଲ କଲା ଟେଲିକମ୍ ବିଭାଗ
ଭୁବନେଶ୍ୱର: ଓଡ଼ିଶାରେ ପ୍ରାୟ ୫୧,୨୬୦ ସିମ କାର୍ଡକୁ ରଦ୍ଦ କରାଯାଇଛି । ଟେଲିକମ ବିଭାଗ ତରଫରୁ ଏହାକୁ ରଦ୍ଦ କରାଯାଇଥିବା ବେଳେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସବୁ ସିମ କାର୍ଡ ଜାଲିଆତି ରେ ସାମିଲ ହେଇଥିବା ସୂଚନା ରହିଛି । ଏହାର ଏକ ଲମ୍ବା ତାଲିକ ଟେଲିକମ ବିଭାଗ ହାତରେ ଲାଗିବା ପରେ ଏହି ପଦକ୍ଷେପ ଉଠାଯାଇଛି । କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ବ୍ୟବହାର କରି ମୁଖଚିହ୍ନଟ ମାଧ୍ୟମରେ ପ୍ରକୃତ ଟେଲିଫୋନ୍ ସିମ୍ ବ୍ୟବହାରକାରୀଙ୍କୁ ଠାବ କରାଯାଇଛି ।
ଏହି ଯାଞ୍ଚ ସମୟରେ ବିଭିନ୍ନ ଟେଲିକମ୍ ଅପରେଟରଙ୍କ ଦ୍ୱାରା ରାଜ୍ୟରେ ବଣ୍ଟାଯାଇଥିବା ୫୨ ହଜାର ୮୮ଟି ମୋବାଇଲ ସିମ୍ ସନ୍ଦେହ ଘେରକୁ ଆସିଥିଲା । ପୂର୍ଣ୍ଣାଙ୍ଗ ଯାଞ୍ଚ ପରେ ଓଡ଼ିଶା ଟେଲିକମ୍ ରାଜ୍ୟରେ ୫୧ ହଜାର ୨୬୦ଟି ମୋବାଇଲ୍ ସିମ୍ ନକଲି ଥିବା ଜାଣିବାପରେ ଏସବୁର ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିବା ଟେଲିକମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଟେଲିକମ୍ୟୁନିକେସନ ବିଭାଗ, ଓଡିଶାର ନିର୍ଦ୍ଦେଶ ଅନୁଯାୟୀ, ଏହି ସନ୍ଦିଗ୍ଧ ମୋବାଇଲ୍ ସଂଯୋଗ ସଂପୃକ୍ତ ଟେଲିକମ୍ ଅପରେଟରଙ୍କ ଦ୍ବାରା ପୁନଃଯାଞ୍ଚ କରାଯାଇଥିଲା ଏବଂ ଫଳସ୍ୱରୂପ ୫୧,୨୬୦ ସଂଯୋଗ ନକଲି ବୋଲି ଜଣାଯାଇଥିଲା ଯାହାକୁ ବାତିଲ କରାଯାଇଥିଲା।
ବିଶ୍ଳେଷଣ ଉପରେ ଆଧାର କରି, ମୋଟ ୨,୪୧୭ ନୋ ପଏଣ୍ଟ ଅଫ୍ ସେଲ୍ସ (ପିଓଏସ) / ସିମ୍ ବିକ୍ରେତା ଯେଉଁମାନେ ଏହି ଠକ କାର୍ଯ୍ୟକଳାପରେ ଜଡିତ ଥିଲେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ତଦନ୍ତ ତଥା ଅପରାଧୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସରେ ଏହି ଅଭିଯୋଗ କରାଯାଇଛି। ଉପରୋକ୍ତ ପଦକ୍ଷେପଗୁଡ଼ିକ ଓଡିଶାରେ ସାଇବର କ୍ରାଇମ୍ ସମେତ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ପାଇଁ ଏହିପରି ନକଲି / ଜାଲ୍ ମୋବାଇଲ୍ ସଂଯୋଗର ବ୍ୟବହାରକୁ ରୋକିବାରେ ସାହାଯ୍ୟ କରିବ।
ତେବେ ଆସନ୍ତୁ ଜାଣିବା ଏଭଳି ନକଲି ସିମ ଘଟଣା କାଇଁ କି ବଢୁଛି । ପ୍ରତି ବ୍ୟକ୍ତିଙ୍କ ପାଇଁ ସିମ୍ କାର୍ଡ ସଂଖ୍ୟାକୁ ନେଇ ସରକାର ଏକ ନିୟମ ସ୍ଥିର କରିଛଲେ। ଲୋକମାନେ ଆଧାର କାର୍ଡରେ ଏକାଧିକ ସିମ୍ ବ୍ୟବହାର କରୁଥିଲେ । ଏହା ପରେ ଟେଲିକମ୍ ବିଭାଗ (DoT) ଦ୍ୱାରା ଏହାକୁ ନେଇ ଚେତାବନୀ ଦିଆଯାଇଥିଲା। ଏପରି ପରିସ୍ଥିତିରେ, ଯେକୌଣସି ବ୍ୟକ୍ତିଙ୍କର ଗୋଟିଏ ନାମରେ ୯ କିମ୍ବା ଅଧିକ ସିମ୍ ଥାଏ ଟେଲିକମ୍ ବିଭାଗ ସେଗୁଡିକୁ ବାତିଲ କରିବାକୁ ପଦକ୍ଷେପ ନେଉଛନ୍ତି। ଅର୍ଥାତ୍ ଚଳିତ ବର୍ଷ ଜାନୁଆରୀ ୧ ରେ ଦେଶରେ ବେଆଇନ ଭାବେ ଚାଲୁଥିବା ସିମ୍ କାର୍ଡ ବାତିଲ ହେବା ପ୍ରକ୍ରିୟା ଆରମ୍ଭ ହେଇଛି ।
ବାସ୍ତବରେ, ଯେଉଁମାନଙ୍କର ୯ କିମ୍ବା ଅଧିକ ସିମ୍ ଅଛି ସେମାନଙ୍କୁ ଟେଲିକମ୍ ବିଭାଗ ଅନେକ ଥର ଚେତାବନୀ ଦେଇଛି ।କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ସମାନ ନାମରେ ୨୦ଟି ପର୍ଯ୍ୟନ୍ତ ସିମ୍ ବ୍ୟବହାର କରୁଛନ୍ତି । ବର୍ତ୍ତମାନ କଡା ପଦକ୍ଷେପ ନେଇ ସରକାର୯ ରୁ ଉର୍ଦ୍ଧ ସମସ୍ତ ସିମ୍ କାର୍ଡ ବାତିଲ କରିବାକୁ ଯୋଜନା କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ବାତିଲ ପରେ ଏହି ସିମ୍ କାର୍ଡରୁ ଆଉଟଗୋଇଂ କଲ୍ କିମ୍ବା ଆସୁଥିବା କଲ୍ ଗ୍ରହଣ କରାଯିବ ନାହିଁ।